ପୁଣି ନିଆଁ ଓଗାଳିଲେ ‘ଶତ୍ରୁ’: ମୋଦିଙ୍କ ବିଦେଶ ଯାତ୍ରାକୁ ନେଇ ବର୍ଷିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାର ସୁଯୋଗକୁ କେବେ ବି ହାତଛଡ଼ା କରନ୍ତି ନାହିଁ ବିଜେପିର ଅସନ୍ତୁଷ୍ଟ ନେତା ତଥା ସାଂସଦ ଶତ୍ରୁଘ୍ନ ସିଂହ୍ନା। ମୋଦିଙ୍କ ବିଦେଶ ଯାତ୍ରାକୁ ନେଇ ସେ ପୁଣି ଥରେ ଆପତ୍ତି ଉଠାଇଛନ୍ତି। ଖାଲି ଆପତ୍ତି ଉଠାଇ ନାହାନ୍ତି, ଏକ ପ୍ରକାର ନିଆଁ ଓଗାଳିଛନ୍ତି। ମୋଦିଙ୍କୁ ଟାର୍ଗେଟ୍‌ କରି ଶତ୍ରୁଘ୍ନ ସିଂହ୍ନା ଏକାଧିକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ସଂସଦର ଅଧିବେଶନ ଚାଲିଥିବା ବେଳେ ଆପଣ ୩ଟି ଆଫ୍ରିକୀୟ ଦେଶକୁ ଯାତ୍ରା କରିଛନ୍ତି। ଅଧିବେଶନ ଶେଷ ହେବା ପରେ ଆପଣ ସେଠାକୁ ଯାଇଥିଲେ ଆକାଶ ଛିଡ଼ି ପଡ଼ିନଥାନ୍ତା। ଅଧିବେଶନ ପରେ ବିଶ୍ୱରେ ବାକି ଥିବା ଦେଶଗୁଡ଼ିକୁ ଯାଇପାରିଥାନ୍ତେ। ତଥାପି ରୱାଣ୍ଡାକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଯିବା ପ୍ରଥମ ଘଟଣା। ତେଣୁ ଆପଣଙ୍କୁ ଶୁଭକାମନା।”

bjpଆଉ ଏକ ଟ୍ୱିଟ୍‌ରେ ସେ ଲେଖିଛନ୍ତି, “ଆଶା କରୁଛି, ଆପଣ ପ୍ରୋଟକଲ୍‌ ମଧ୍ୟରେ ରହି ରୱାଣ୍ଡାରେ ହାତ ମିଳାଇବେ। କାରଣ ଏବେ କୁଣ୍ଢାଇବା ଘଟଣାକୁ ନେଇ ବଡ଼ ବଡ଼ ନ୍ୟୁଜ୍‌ ଲେଖାଯାଉଛି। ଗିରିଣ୍ଡାରେ ଏକ କାର୍ଯ୍ୟକ୍ରମରେ ଆପଣ ୨୦୦ ଗାଈ ଉପହାରରେ ଦେଇଛନ୍ତି। ଏହା ଭଲ ପଦକ୍ଷେପ। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ଓ ମଧୁର ହେବ। ହେଲେ ଆପଣ ଫେରି ଆସନ୍ତୁ। ବିରୋଧୀ ମବ୍‌ ଲିନ୍‌ଚିଂ ଓ ଗୋ-ସୁରକ୍ଷା ପ୍ରସଙ୍ଗରେ ଟାର୍ଗେଟ୍‌ କରୁଛନ୍ତି।”

bjpଶତ୍ରୁଘ୍ନ ଅନ୍ୟ ଏକ ଟ୍ୱିଟ୍‌ରେ କହିଛନ୍ତି, “ଦେଶରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ହେଲେ ଆପଣଙ୍କ ମୁହଁରୁ ପଦୁଟିଏ ବି ବାହାରୁ ନାହିଁ। ବିଦେଶରେ ଥାଇ ବି ଆପଣ କିଛି କହିପାରନ୍ତେ। ରାଫେଲ୍‌ ପ୍ରସଙ୍ଗରେ ବିରୋଧୀ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି। ଆମେ କ’ଣ କରିବୁ ଦୟା କରି ନିର୍ଦ୍ଦେଶ ଦିଅନ୍ତୁ।”