ରାଜକୀୟ ସମ୍ମାନ ସହ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍। ଦିଲ୍ଲୀର ନିଗମ ବୋଧ ଘାଟରେ ରାଜକୀୟ ସମ୍ମାନର ସହ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଅନେକ ନେତା ଓ ଶୀଲାଙ୍କ ବହୁସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ଆଜି ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଶୀଲାଙ୍କ ପ୍ରାର୍ଥୀବ ଶରୀରକୁ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା।

ଦିଲ୍ଲୀକୁ ଆଧୁନିକତାର ରୂପ ଦେବା କ୍ଷେତ୍ରରେ ଲଗାତର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କର ଅନେକ ଅବଦାନ ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ଗତକାଲି ଶୀଲା ଦୀକ୍ଷିତଙ୍କୁ ହୃଦଘାତ ହେବାରୁ ସକାଳ ୧୦.୩୦ରେ ହସ୍ପିଟାଲ ନିଆଯାଇଥିଲା। ଏହାପରେ ୩.୩୦ ସମୟରେ ଦିଲ୍ଲୀର ସିଟି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା।ସେ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ଥିଲେ ଏବଂ କିଛି ଦିନ ତଳେ ଏସ୍କର୍ଟସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ଲୋକସଭା ନିର୍ବାଚନରେ ଉତ୍ତର ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢ଼ି ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କ ପାଖରୁ ହାରିଥିଲେ।

ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, ମନମୋହନ ସିଂହ, ଅହମଦ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ୍, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ କାର୍ଯ୍ୟାଳୟରେ ଶୀଲାଙ୍କ ଶେଷ ଦର୍ଶନ କରିଥିବା ବେଳେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଶୀଲାଙ୍କ ନିଜାମୁଦ୍ଦିନ ସ୍ଥିତ ଘରକୁ ଯାଇ ଅନ୍ତିମ ଦର୍ଶନ କରିଥିଲେ। ଶୀଲାଙ୍କ ସମ୍ମାନରେ ଦିଲ୍ଲୀରେ ୨ ଦିନିଆ ଶୋକ ପାଳନ ହେଉଛି।