ଦିଲ୍ଲୀ କଂଗ୍ରେସ ମୁଖ୍ୟ ହେବେ ଶିଲା ଦିକ୍ଷୀତ!

ନୂଆଦିଲ୍ଲୀ: ଦିଲ୍ଲୀର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଥିବା ଅଜୟ ମାକେନ ଶୁକ୍ରବାର ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶିଲା ଦିକ୍ଷୀତଙ୍କୁ ଦିଲ୍ଲୀ କଂଗ୍ରେସ ମୁଖ୍ୟ କରିବାକୁ ଦଳର ଶୀର୍ଷସ୍ତରୀୟ ନେତା ବିଚାର କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ନିକଟରେ କଂଗ୍ରେସ ଦିଲ୍ଲୀରେ ମୋଦି ୱେବ୍‌କୁ ଅଟକାଇବା ପାଇଁ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି ସହ ହାତ ମିଳିବାକୁ ମତ ଦେଇଥିଲା। ଏହାକୁ ଶିଲା ଦିକ୍ଷୀତ ସ୍ୱାଗତ କରିଥିବାରୁ କଂଗ୍ରେସ ହାଇକମାଣ୍ଡ ଶିଲାଙ୍କୁ ଦିଲ୍ଲୀ ଦାୟିତ୍ୱ ଦେଇ ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଚାହୁଁଥିବା ଏହି ସୂତ୍ରରେ କୁହାଯାଇଛି।

ଅନ୍ୟପକ୍ଷରେ କଂଗ୍ରେସ ଓ ଆପ୍‌ ମେଣ୍ଟକୁ ପୂର୍ବତନ କଂଗ୍ରେସ ମୁଖ୍ୟ ଶ୍ରୀ ମାକେନ୍‌ ବିରୋଧ କରୁଥିଲେ। ଏହାକୁ ନେଇ ହାଇମାଣ୍ଡ ଓ ଶ୍ରୀ ମାକେନ୍‌ଙ୍କ ମଧ୍ୟରେ ଶୀତଳ ସୃଷ୍ଟି ହୋଇଥିଲା। ସେବେଠାରୁ ମାକେନ୍‌ ପଦ ଛାଡ଼ିବା କଥା ଚିନ୍ତା କରୁଥିଲେ।

ଏବେ କଂଗ୍ରେସ ମୁଖ୍ୟ ପଦ ପାଇଁ ଶିଲା ଦିକ୍ଷୀତଙ୍କ ବ୍ୟତୀତ ଯୋଗନନ୍ଦ ଶାସ୍ତ୍ରୀ, ରାଜକୁମାର ଚୌହାନ ଓ ହାରୋନ ୟୁସୁଫଙ୍କ ନାଁ ମଧ୍ୟ ଦଳୀୟ ହାଇକମାଣ୍ଡ ଚିନ୍ତା କରୁଥିବା ଜଣାପଡ଼ିଛି।