ଅକସ୍ମାତ ଥିଲା ରାଜନୀତିରେ ଶୀଲାଙ୍କ ପ୍ରବେଶ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସବୁଠାରୁ ଅଧିକ ସମୟ ଅର୍ଥାତ ୧୫ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବରିଷ୍ଠ କଂଗ୍ରେସ ନେତା ଶୀଲା ଦୀକ୍ଷିତ ଆଉ ନାହାନ୍ତି। ଶୀଲାଙ୍କ ଅକସ୍ମିତ ମୃତ୍ୟୁ କେବଳ କଂଗ୍ରେସ ଦଳକୁ ନୁହେଁ, ସାରା ଦେଶକୁ ସ୍ତବ୍ଧ କରିଦେଇଛି।

ଶୀଲାଙ୍କ ନେତୃତ୍ୱରେ ହିଁ କଂଗ୍ରେସ ଦିଲ୍ଲୀର ଲୋକଙ୍କ ପାଖରେ ଲୋକପ୍ରିୟ ହୋଇପାରିଥିଲା। ଖାସ୍‌ ସେଇଥିପାଇଁ ଗତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦିଲ୍ଲୀର କମାଣ ଶୀଲାଙ୍କ ହାତରେ ଦେଇଥିଲା।

୮୧ ବର୍ଷ ବୟସରେ ମଧ୍ୟ ଶୀଲା ଦିଲ୍ଲୀରେ ଲୋକସଭା ନିର୍ବାଚନ ଲଢ଼ି ସମଗ୍ର ଦେଶରେ ବୋହୁଥିବା ମୋଦି ହାୱାକୁ ସାମ୍ନା କରିଥିଲେ। ସେ ପରାଜିତ ହୋଇଥିଲେ ସତ, କିନ୍ତୁ ଶେଷ ଯାଏ ଲଢ଼େଇ କରିଥିଲେ।

ଶୀଲାଙ୍କ ରାଜନୀତିକ କ୍ୟାରିୟର ବିଷୟରେ କିଛି ତଥ୍ୟ

୧: ଅକସ୍ମାତ ଭାବେ ଶୀଲା ରାଜନୀତିରେ ପାଦ ଦେଇଥିଲେ। ତାଙ୍କ ଶ୍ୱଶୁର ଉମାଶଙ୍କର ଦୀକ୍ଷିତ ପ୍ରଖ୍ୟାତ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପରବର୍ତ୍ତୀ ଅବସ୍ଥାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ ଉମାଶଙ୍କର ମନ୍ତ୍ରୀ ହୋଇଥିଲେ। ସେ ମନ୍ତ୍ରୀ ଥିବା ବେଳେ ବୋହୂ ଶୀଲା ତାଙ୍କୁ ବିଭିନ୍ନ କାମରେ ସହଯୋଗ କରୁଥିଲେ। ତାଙ୍କ ଦକ୍ଷତା ଦେଖି ଇନ୍ଦିରା ଗାନ୍ଧି ଶୀଲାଙ୍କୁ ମହିଳାଙ୍କ ବିଷୟରେ ମତ ରଖିବାକୁ ଭାରତର ପ୍ରତିନିଧି ଭାବେ ଜାତିସଂଘକୁ ପଠାଇଥିଲେ। ଏହାପରେ ହିଁ ଶୀଲା ରାଜନୀତିକୁ ପ୍ରବେଶ କରିଥିଲେ।

୨: ୧୯୭୦ରେ ଶୀଲା ଯୁବ ମହିଳା ମହାସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଥିଲେ।

୩: ୧୯୮୪ରୁ ୧୯୮୯ ଯାଏ ଶୀଲା ଉତ୍ତର ପ୍ରଦେଶର କନ୍ନୌଜରୁ ଲୋକସଭାକୁ ଯାଇଥିଲେ। ସେ ଲୋକସଭାର ଏଷ୍ଟିମେଟ୍‌ କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

୪: ସେ ୧୯୮୪ରୁ ୧୯୮୯ ଯାଏ ଜାତିସଂଘର ଷ୍ଟାଟସ୍‌ ଅଫ୍‌ ୱମେନ୍‌ସ କମିଶନରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

୫: ୧୯୮୬ରୁ ୩ ବର୍ଷ ଯାଏ ଶୀଲା ପିଏମଓ ଓ ସଂସଦୀୟ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

୬: ୧୯୯୦ରେ ସେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ।

୭: ଶୀଲା ଦୀକ୍ଷିତ ୧୯୯୮ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇ ୧୫ ବର୍ଷ ଯାଏ କାର୍ଯ୍ୟ କରିଥିଲେ।

୮: ସେ ୧୯୯୮ ଓ ୨୦୦୩ରେ ସେ ଗୋଲ ମାର୍କେଟ ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୮ରେ ଶୀଲା ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ଯାଇଥିଲେ।

୯: ତାଙ୍କୁ ୨୦୧୪ ମାର୍ଚ୍ଚରେ କେରଳ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ଏହାର ୫ ମାସ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।