ଶୀନା ବୋରା ହତ୍ୟା ମାମଲା: ଡିସେମ୍ବର ୨୮କୁ ବଢିଲା ପିଟରଙ୍କ ବିଚାର ବିଭାଗୀୟ ହାଜତ ମିଆଦ

ମୁମ୍ବାଇ: ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମିଡିଆ ଟାଉକୁନ୍ ପିଟର ମୁଖାର୍ଜିଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଘର ଖାଦ୍ୟ ଖାଇବା ନେଇ ଅନୁମତି ଦେବାକୁ ସେ କୋର୍ଟ ନିକଟରେ ଆବେଦନ କରିଥିଲେ। ସିବିଆଇ ହେପାଜିତରେ ଥିବା ମୁଖାର୍ଜିଙ୍କ ୧୪ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଥିବାବେଳେ ଏ ନେଇ ସେ କୋର୍ଟରେ ଆଦେଦନ କରିଥିଲେ।

ପିଟର ଜଣେ ହୃଦ ରୋଗୀ ଓ ବରିଷ୍ଠ ନାଗରିକ ହୋଇଥିବାରୁ ତାଙ୍କୁ ଘର ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଉ ବୋଲି ତାଙ୍କ ଓକିଲ କୋର୍ଟ ନିକଟରେ ଆବେଦନ କରିଥିଲେ। ଏ ନେଇ ସିବିଆଇର ଜଣେ ବରିଷ୍ଠ ଅଫିସର କହିଛନ୍ତି ଯେ, ପିଟରଙ୍କ ସ୍ୱାସ୍ଥ୍ୟ ପ୍ରତି ଆମେ ଯତ୍ନଶୀଳ ଅଛୁ। ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ଏବେ କୋର୍ଟ ଯାହା ନିଷ୍ପତ୍ତି ନେବେ। ସେ ଜେଲ ଖାଦ୍ୟ ଖାଇବେ ନା ଘର ଖାଦ୍ୟ ତାହାର ନିଷ୍ପତ୍ତି କୋର୍ଟ ନେବେ। ଆସନ୍ତା କାଲି କୋର୍ଟ ଏ ନେଇ ତାଙ୍କ ରାୟ ଶୁଣାଇବେ।