ମୌନୀ ବାବା ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ‘ମୌନୀ ବାବା’। ସେ କେବଳ ବିଦେଶ ଗସ୍ତରେ ଗଲେ ସେଠାରେ ଭାରତର ବିଭିନ୍ନ ସମସ୍ୟା କଥା କହନ୍ତି। ଏଠି କିଛି କହନ୍ତି ନାହିଁ। ମୋଦିଙ୍କୁ ଏଭଳି ସମାଲୋଚନା କରିଛି ଏନ୍‌ଡିଏ ସରକାରରେ ସାମିଲ ହୋଇଥିବା ଶିବସେନା। ଦଳର ମୁଖପତ୍ର ‘ସାମନା’ରେ କରାଯାଇଛି ଏମିତି ସମାଲୋଚନା।

ଶୁକ୍ରବାର ‘ସାମନା’ରେ ‘ମନମୋହନ ମୋଦି’ ଶୀର୍ଷକ ସଂପାଦକୀୟରେ ଲେଖାଯାଇଥିଲା- ବର୍ତ୍ତମାନ ମନମୋହନ ସିଂହ କହିବା ଆରମ୍ଭ କରି ଦେଇଛନ୍ତି, କିନ୍ତୁ ମୋଦି ମଉନ ହୋଇଯାଇଛନ୍ତି। ଏହାକୁ ବିଜେପି ବିରୋଧରେ ନିୟତିର ପ୍ରତିଶୋଧ ବୋଲି କୁହାଯାଇପାରିବ।

ଏହି ଆଲେଖ୍ୟରେ ମନମୋହନ ସିଂହଙ୍କ ସେହି ମନ୍ତବ୍ୟକୁ ଉଲ୍ଲେଖ କରାଯାଇଛି ଯେଉଁଥିରେ ସେ କିଛି ଦିନ ତଳେ ମୋଦିଙ୍କୁ ସମାଲୋଚନା କରିଥିଲେ। ଦୁଷ୍କର୍ମ ଘଟଣାଗୁଡ଼ିକୁ ନେଇ ସାରା ଦେଶ ରାଗି ଯାଇଥିବା ବେଳେ ମୋଦି କାହିଁକି ମୁହଁ ଖୋଲୁ ନାହାଁନ୍ତି ବୋଲି ମନମୋହନ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ମୋଦି ନିଜ ଉପଦେଶକୁ ଅନୁକରଣ କରନ୍ତୁ। ସେ ମଉନ ରହିଲେ ଲୋକେ ଭାବିବେ ଯେ ଦୁଷ୍କର୍ମକାରୀମାନେ ଦଣ୍ଡ ନପାଇ ଖସିଯିବେ।

ଏହି ସଂପାଦକୀୟରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ମୋଦିଙ୍କୁ ମନମୋହନ ଦେଇଥିବା ଉପଦେଶର ଯଥାର୍ଥ ରହିଛି। ତେବେ ମନମୋହନ ଅଧାସତ୍ୟ କହିଛନ୍ତି। ମୋଦି ଭାରତରେ ମୌନୀ ବାବା, କିନ୍ତୁ ବିଦେଶକୁ ଗଲେ ସେ ମୁହଁ ଖୋଲନ୍ତି। ତେଣୁ ଭାରତର ରାଜଧାନୀକୁ ଲଣ୍ଡନ, ନ୍ୟୁୟର୍କ, ଟୋକିଓ ଅବା ପ୍ୟାରିସ୍‌କୁ ଉଠାଇ ନିଆଯାଉ। ନହେଲେ ନୂଆଦିଲ୍ଲୀକୁ ଏକ ଫିଲ୍ମ ସେଟ୍ ଭଳି ସଜାଇ ଦିଆଯାଉ ଯେମିତି ଏହା ଏକ ବିଦେଶୀ ସହର ଭଳି ଲାଗିବ।

ମୋଦିଙ୍କୁ ତୀବ୍ର ସମାଲୋଚନା କରି ଏଥିରେ ଲେଖାଯାଇଛି,“ସେ ଅନୁଭବ କରୁ ନାହାଁନ୍ତି ଯେ ତାଙ୍କୁ ଭାରତରେ କହିବାକୁ ପଡ଼ିବ। ଏଠାରେ ଯାହା ଘଟୁଛି ସେଥିରେ ସେ ବିରକ୍ତ ହୋଇଯାଉଛନ୍ତି ଓ ତା’ପରେ ବିଦେଶ ଯାଇ ଘର କଥାଗୁଡ଼ିକୁ କହୁଛନ୍ତି। ସେ ଏମିତି କରି ଭାରତକୁ ଏକ ଅସୁରକ୍ଷିତ ସ୍ଥାନ ଭାବେ ଚିତ୍ରଣ କରୁଛନ୍ତି। ଦୁଷ୍କର୍ମ ମାମଲାଗୁଡ଼ିକ ସଂପର୍କରେ ବିଦେଶରେ କହିବାର ଅଧିକାର ପ୍ରଧାନମନ୍ତ୍ରୀଙ୍କର ଅଛି କି ବୋଲି ଏହି ସଂପାଦକୀୟରେ ପ୍ରଶ୍ନ କରାଯାଇଛି।

ସୂଚନାଯୋଗ୍ୟ, ଲଣ୍ଡନ ଗସ୍ତ ବେଳେ ଗୁରୁବାର ଦିନ ମୋଦି କହିଥିଲେ ଯେ ଦୁଷ୍କର୍ମ ହେଉଛି ଦୁଷ୍କର୍ମ। ଏହାକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ। ଉତ୍ତର ପ୍ରଦେଶର ଉନ୍ନାଓ ଏବଂ ଜମ୍ମୁ ଓ କାଶ୍ମୀରର କାଠୁଆ ଦୁଷ୍କର୍ମ ଘଟଣାକୁ ଆଧାର କରି ସେ ଏକଥା କହିଥିଲେ।

‘ସାମନା’ ର ଏହି ସଂପାଦକୀୟରେ ହୀରା ବ୍ୟବସାୟୀ ନୀରବ ମୋଦି ଓ ଶିଳ୍ପପତି ବିଜୟ ମାଲ୍ୟାଙ୍କ ଉଦାହରଣ ଦିଆଯାଇ କୁହାଯାଇଛି ଯେ ଆମ ପ୍ରଧାନମନ୍ତ୍ରୀ ସେହି ଦେଶକୁ ଗସ୍ତ କରିଥିଲେ ଯେଉଁ ଦେଶ ଏହି ଦୁଇ ଜଣଙ୍କୁ ଆଶ୍ରୟ ଦେଇଛି, କିନ୍ତୁ ଖାଲି ହାତରେ ଫେରିଆସିଲେ। ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଓ ଏକାଧିକ ବ୍ୟାଙ୍କକୁ ଚୂନ ଲଗାଇ ଫେରାର ହୋଇଯାଇଥିବା ବିଜୟମାଲ୍ୟା ଇଂଲଣ୍ଡରେ ଥିବା କୁହାଯାଉଛି।

ଶିବସେନା ବିଜେପି ଓ ମୋଦିଙ୍କୁ କଡ଼ା ସମାଲୋଚନା କରି ଆସୁଛି। ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ ନ କରିବା ପାଇଁ ଜାନୁଆରୀ ୨୩ରେ ଶିବସେନା ଏକ ସଂକଳ୍ପ ପାରିତ କରିଛି।