ଏନ୍‌ଡିଏ ହାତ ଛାଡିବ ଶିବସେନା: ୨୦୧୯ରେ ଏକ ଲଢ଼ିବ

ମୁମ୍ବାଇ: ବିଜେପି ଓ ଶିବସେନା ମେଣ୍ଟରେ ଦେଖା ଦେଇଛି ଫାଟ। ଏବେ ଏନଡିଏର ହାତ ଛାଡିବ ଶିବସେନା। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକକୀ ଲଢିବ ଶିବସେନା। ହିନ୍ଦୁତ୍ୱ ରକ୍ଷା ଲାଗି ସାରା ଦେଶରେ ଏକୁଟିଆ ନିର୍ବାଚନ ଲଢିବା ନେଇ ଦଳର କାର୍ଯ୍ୟକାରିଣୀ ବୈଠକରେ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକରେ। କେନ୍ଦ୍ର ଏବଂ ମହାରାଷ୍ଟ୍ରରେ ଦୁଇ ଦଳର ମିଳିତ ସରକାର ଚାଲିଥିବାବେଳେ ଶିବସେନାର ଏହି ନିଷ୍ପତ୍ତିରେ ବିଜେପିକୁ ଶକ୍ତ ଝଟକା ଲାଗିଛି।

ଶିବସେନା ଏହା ସ୍ପଷ୍ଟ କରିବା ପରେ ପ୍ରାୟ ୨ ଦଶନ୍ଧୀ ଧରି ବିଜେପି ସହ ଏକାଠି ଚାଲିବାରେ ପୂର୍ଣ୍ଣେଛେଦ ପଡ଼ିବାକୁ ଯାଉଛି। ମହାରାଷ୍ଟ୍ର ଏବଂ କେନ୍ଦ୍ରରେ ବିଜେପିର ଏକ ପ୍ରମୁଖ ସହଯୋଗୀ ରହିଛି ଶିବସେନା। ମେଣ୍ଟ ସରକାର ଗଠନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଅନେକ ଥର ଫାଟ ସୃଷ୍ଟି ହୋଇଛି। ଆବଶ୍ୟକ ପଡିଲେ ଏନ୍‌ଡିଏଠାରୁ ଶିବସେନା ଅଲଗା ହୋଇଯିବ ବୋଲି କିଛିଦିନ ପୂର୍ବରୁ ଉଦ୍ଧବ ବିଜେପିକୁ ଚେତାବନୀ ଦେଇଥିଲେ। ଶିବସେନା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଏହି ନିଷ୍ପତ୍ତି ଉଦ୍ଧବଙ୍କ ଚେତାବନୀଙ୍କୁ ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସିଟ୍ ଆବଣ୍ଟନ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଫଳରେ ଉଭୟ ଦଳ ଏକାକୀ ମଇଦାନକୁ ଓହ୍ଲାଇ ଥିଲେ। ଏହି ନିର୍ବାଚନରେ ବିଜେପି ଦମଦାର ବିଜୟ ସହ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଥିଲା। ନିର୍ବାଚନ ପରେ ଶିବସେନା ସହ ମେଣ୍ଟ କରି ସରକାର ଗଢିଥିଲା ବିଜେପି। ସରକାର ଗଠନ ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ବୟାନବାଜୀ ଦେଖିବାକୁ ମିଳିଛି।

ଦଳୀୟ ମୁଖପତ୍ର ସାମନା ଜରିଆରେ ବିମୁଦ୍ରାକରଣ ସହ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲା ଶିବସେନା। ସେହିପରି ବୁଲେଟ ଟ୍ରେନ ଯୋଜନାକୁ ନେଇ ମଧ୍ୟ କେନ୍ଦ୍ରକୁ କଡା ସମାଲୋଚନା କରିଥିଲା ଶିବସେନା।

ଅନ୍ୟପଟେ ମହାରାଷ୍ଟ୍ରରେ ମେଣ୍ଟ ସରକାର ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ବର୍ତ୍ତମାନର ମେଣ୍ଟ ସରକାର ଏହାର ସମ୍ପୂର୍ଣ୍ଣ ଅବଧୀ ପୂରଣ କରିବ।