ତିନ୍‌ ତଲାକ୍‌ ବିଲ୍‌ ବିରୋଧରେ ଭାଷଣ ଦେଉଥିବା ବେଳେ ଜୋତାମାଡ଼

ମୁମ୍ବାଇ: ତିନ୍‌ ତଲାକ୍‌ ବିଲକୁ ନେଇ ଦେଶରେ ବିବାଦ ଥମିବାର ନାଁ ନେଉନାହିଁ। କିଛି ଲୋକ ଏହାକୁ ସମର୍ଥନ କରୁଥିବା ବେଳେ କିଛି ସଂଗଠନ ଏହାକୁ ବିରୋଧ କରୁଛି। ଗତକାଲି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସ୍ଲିମିନ୍ (‌ଏଆଇଏମ୍‌ଆଇଏମ୍)ର ମୁଖ୍ୟ ଓ ସାଂସଦ ଅସଦୁଦ୍ଦୀନ୍ ଓୱେସିଙ୍କ ଉପରେ ମୁମ୍ବାଇରେ ଜୋତା ମାଡ଼ ହୋଇଛି। ମୁମ୍ବାଇର ନାଗାପଡ଼ାରେ ଏକ ରାଲିରେ ଓୱେସି ତିନ୍‌ ତଲାକ୍ ବିରୋଧରେ ଭାଷଣ ଦେଇଥିଲେ। ଠିକ୍ ସେହି ସମୟରେ କେହି ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫୋପାଡ଼ିଥିଲେ।

ପୋଲିସର ସୂଚନା ଅନୁଯାୟୀ ସିସିଟିଭିରେ ଅଭିଯୁକ୍ତଙ୍କର ଚିହ୍ନଟ ହୋଇସାରିଛି। ବହୁତ ଶୀଘ୍ର ତାଙ୍କୁ ଗିରଫ କରାଯିବ। ଏନେଇ ଓୱେସି କହିଛନ୍ତି ଯେ , ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନେ ଚାହୁଁନାହାନ୍ତି ଯେ ଜନତା ବିଶେଷ କରି ମୁସଲିମ ସମ୍ପ୍ରଦାୟ ତିନି ତଲାକ ବିଲ୍‌ର ବିରୋଧ କରନ୍ତୁ।

ଗତ ସୋମବାର ରାତିରେ ଓୱେସି ଏକ ଜନସଭାରେ କହିଥିଲେ ଯେ ତିନ୍ ତଲାକ ବିଲ୍ ହେଉଛି ମୁସିଲମ୍‌ମାନଙ୍କ ବିରୋଧରେ ଏକ ଚାଲ୍। ମୁସଲିମ୍ ସମ୍ପ୍ରଦାୟର ପୁରୁଷଙ୍କୁ ଜେଲ୍ ପଠାଇବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଏହା ବ୍ୟତୀତ ସେ କହିଛନ୍ତି ଯେ ମୁସଲିମ୍ ସମାଜ ସେମାନଙ୍କୁ ବହିଷ୍କାର କରିବା ଉଚିତ ଯେଉଁମାନେ ବିବାହ ବିଚ୍ଛେଦ ପାଇଁ ତିନ୍‌ ତଲାକ୍‌ର ସାହାରା ନେଉଛନ୍ତି।

ଓୱେସି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଫିଲ୍ମ ‘ପଦ୍ମାବତ୍’ ବିବାଦ ଉପରେ ସଂସଦର ଏକ ସମିତି ବିଚାର କରିଥିଲା। ହେଲେ ‘ତିନ୍ ତଲାକ’ ମାମଲାରେ ଏପରି କିଛି ପଦକ୍ଷେପ ନିଆଗଲା ନାହିଁ କାହିଁକି? ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ କିଛି କରୁନାହାଁନ୍ତି। କିନ୍ତୁ ଅନ୍ୟ ଦ୍ୱାରା କରାଯାଇଥିବା ଭଲ କାମର ଶ୍ରେୟ ନେବାକୁ ପଛାଉ ନାହାଁନ୍ତି।

ସେ କହିଛନ୍ତି , “ବିଜେପି ମୁସଲିମ୍ ମୁକ୍ତ ଭାରତ ଚାହୁଁଛି। କିନ୍ତୁ ଏପରି କେବେ ହେବନାହିଁ।”