୩ ଦିନ ହେଲା ପୁଣି କଶ୍ମୀରରେ ସବୁ କିଛି ଠପ୍‌, ସ୍ଥିତି ପରଖିଲେ ଯଶବନ୍ତ ସିହ୍ନା ଆଣ୍ଡ କୋ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସବୁ କିଛି ସ୍ୱାଭାବିକ ହେଉଥିବା କେନ୍ଦ୍ର ସରକାର ଦାବି କରୁଥିଲେ ହେଁ ତୃଣମୂଳ ସ୍ତରରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ୩ ଦିନ ତଳେ କଶ୍ମୀରରେ ସବୁ ଦୋକାନ ବଜାର ଖୋଲିଥିଲା। ହେଲେ କ୍ରମାଗତ ତୃତୀୟ ଦିନ ପାଇଁ ପୁଣିଥରେ ସବୁ କିଛି ବନ୍ଦ ହୋଇଯାଇଛି। ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ମଟର ଚଳାଚଳ ଠପ ହୋଇଯାଇଛି।

ଅନ୍ୟପକ୍ଷରେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ନେତୃତ୍ୱରେ ସିଭିଲ ସୋସାଇଟ୍‌ ଟିମ୍‌ କଶ୍ମୀର ସ୍ଥିତି ପରଖିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଲୋକମାନେ ଭୋଗୁଥିବା ସମସ୍ୟା ଓ ବ୍ୟବସାୟିକ କ୍ଷତିର ଆକଳନ ଏହି ଟିମ୍‌ କରିଛି। ସିହ୍ନାଙ୍କ ବ୍ୟତୀତ ଏହି ଟିମ୍‌ରେ ପୂର୍ବତନ ସୂଚନା କମିଶନର ୱାଜହତ ହବିବୁଲ୍ଲା, ପୂର୍ବତନ ଏୟାର ଭାଇସ୍‌ ମାର୍ଶଲ କପିଲ କକ, ସାମ୍ବାଦିକ ଭାରତ ଭୂଷଣ ଓ ଶୁଷହୋବା ଭାରବେ ଅଛନ୍ତି। ପୂର୍ବରୁ ମଧ୍ୟ ଏହି ଟିମ୍‌ କଶ୍ମୀର ଗସ୍ତ କରିବାକୁ ଚାହିଁଥିଲେ।

ହେଲେ ଏମାନଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ସିହ୍ନା କହିଛନ୍ତି, “ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସ୍ଥିତି କେମିତି ଅଛି, ସେକଥା ଜାଣିବା ପାଇଁ ଆମେ ଏଠାକୁ ଆସିଛୁ। କଶ୍ମୀରକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଉଛି। ସରକାର ଗୋଟିଏ ରିପୋର୍ଟ ଦେଉଥିବା ବେଳେ ବିଦେଶୀ ମିଡିଆ ଆଉ ଗୋଟିଏ ରିପୋର୍ଟ ଦେଉଛନ୍ତି। ଗତଥର ଆମକୁ ଏଠାକୁ ଆସିବାକୁ ଅନୁମତି ମିଳି ନଥିଲା। ହେଲେ ଏବେ ଆମକୁ ପ୍ରଶାସନ ଗସ୍ତ ପାଇଁ ଅନୁମତି ଦେଇଛି।

ସେଥିପାଇଁ ପ୍ରଶାସନକୁ ଧନ୍ୟବାଦ ଦେଉଛୁ। ଆମେ ଆଜି ଏଠାରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ପାଇଛୁ। ତେଣୁ ସ୍ଥିତି ଏଠାରେ ସ୍ୱାଭାବିକ ନାହିଁ। ଆମେ ଏବେ ଲୋକଙ୍କ ସହ ଆଲୋଚନା କରି ସ୍ଥିତି ପରଖିବୁ। ଏଥିସହ ଲୋକଙ୍କ ବ୍ୟବସାୟିକ କ୍ଷୟକ୍ଷତି ମଧ୍ୟ ଆକଳନ କରିବୁ।”

୩ ଦିନ ତଳେ ଲାଲ ଚୌକଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିଥିଲା। ହେଲେ ବିଭିନ୍ନ ସ୍ଥାନରେ ଏଗୁଡ଼ିକୁ ବନ୍ଦ କରିବା ପାଇଁ ଧମକପୂର୍ଣ୍ଣ ବ୍ୟାନର ସବୁ ମରା ଯାଇଥିଲା। ଫଳରେ ଦୋକାନୀମାନେ ଭୟରେ ଘରୁ ବାହାରୁ ନାହାନ୍ତି। ଏକାଧିକ ସ୍ଥାନରେ ଆଜି ସକାଳେ ହାତ ଗଣତି କିଛି ଦୋକାନ ଖୋଲିଥିଲା। ହେଲେ ମାତ୍ର ଘଣ୍ଟାଏ ମଧ୍ୟରେ ଏଗୁଡ଼ିକ ବନ୍ଦ ହୋଇଯାଇଥିଲା। ରାସ୍ତାଘାଟରେ ଗାଡ଼ି ମଟର ଚଳାଚଳ କରୁନାହିଁ। ସରକାରୀ ଗାଡ଼ିକୁ ବନ୍ଦ ଥିବା ବେଳେ କିଛି ହାତ ଗଣତି ଘରୋଇ କାର ଓ ଅଟୋ ଚଳାଚଳ କରୁଥିବା ଦେଖିବାକୁ ମିଳିଛି।

ଆଜି ଶୁକ୍ରବାର ରହିଥିଲେ ହେଁ ପ୍ରାର୍ଥନା ପାଇଁ ଏକାଧିକ ମସଜିଦ ବନ୍ଦ ରହିଥିଲା। କ୍ରମାଗତ ୧୬ତମ ଶୁକ୍ରବାର ପାଇଁ ଜାମିଆ ମସଜିଦ୍‌ ବନ୍ଦ ରହିଛି। ପୋଷ୍ଟ ପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଥିଲେ ହେଁ ପ୍ରି ପେଡ୍‌ ଓ ଇଣ୍ଟରନେଟ ମୋବାଇଲ ସେବା ଏବେ ବି କାର୍ଯ୍ୟକ୍ଷମ ହୋଇନାହିଁ।