ସୁଜାତ ବୁଖାରୀଙ୍କ ଅନ୍ତିମ ଯାତ୍ରାରେ ଜନସମୁଦ୍ର ପାଲଟିଲା ବାରମୂଲା

ଶ୍ରୀନଗର: ରାଇଜିଂ କାଶ୍ମୀରର ମୁଖ୍ୟ ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟାକୁ ନିନ୍ଦା କରିଛି ସାରା ଦେଶ। ତାଙ୍କ ଅନ୍ତିମ ଶୋଭାଯାତ୍ରାରେ ଜନ ସମୁଦ୍ର ପାଲଟିଛି ଜାମ୍ମୁ-କାଶ୍ମୀରର ବାରମୂଲା ସହର। ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ତାଙ୍କ ଜନ୍ମସ୍ଥାନ ବାରମୂଳାର କ୍ରିଏରିରେ ସୁଜାତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ ସେଠାରେ କବର ଦିଆଯାଇଥିଲା। ଗତକାଲି ସୁଜାତଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।

ସୁଜାତ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ବୁଖାରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାଙ୍କ ଘରକୁ ଯାଇଥିଲେ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ  ଅନ୍ୟ ବିଶିଷ୍ଟ ନେତା। ଜାମ୍ମୁ-କାଶ୍ମୀର ପ୍ରେସ୍ କ୍ଲବ ପକ୍ଷରୁ ମଧ୍ୟ ଏହି ବରିଷ୍ଠ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ହତ୍ୟା ଘଟଣାରେ ଜାମ୍ମୁ-କାଶ୍ମୀର ପୋଲିସ ୩ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି।  ସିସିଟିଭି ଫୁଟେଜ୍‌କୁ ଆଧାର କରି ଏହି ଫଟୋ ଜାରି କରାଯାଇଛି। ହତ୍ୟାକାଣ୍ଡରେ ଏହି ୩ ଜଣଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ। ଗୋଟିଏ ବାଇକ୍‌ରେ ଆସି ସେମାନେ ଆଖିବୁଜା ୧୫ଟି ଗୁଳି ଚଲାଇଥିଲେ। ଏଥିରେ ବୁଖାରୀଙ୍କ ଦୁଇ ସୁରକ୍ଷାକର୍ମୀ ମଧ୍ୟ ନିହତ ହୋଇଛନ୍ତି।

bukhari

୨୦୦୦ ମସିହାରୁ ସରକାର ଯୋଗାଇ ଥିଲେ ସୁରକ୍ଷା
୨୦୦୦ ମସିହାରେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରିଥିଲେ। ସେବେଠାରୁ ସରକାର ସୁଜାତ ବୁଖାରୀଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ। ସୁଜାତ ଶାନ୍ତିର ସପକ୍ଷବାଦୀ ଥିଲେ। କାଶ୍ମୀରରେ ଶାନ୍ତି ଫେରି ଆସୁ ବୋଲି ସେ ସବୁବେଳେ ଚାହୁଁଥିଲେ। ଶାନ୍ତି ଆଲୋଚନାରେ ମଧ୍ୟ ସାମିଲ ହେଉଥିଲେ।

bukhari

ଆପଣଙ୍କ ବିନା ଆମେ ଅନାଥ ହୋଇଗଲୁ
ରାଇଜିଂ କାଶ୍ମୀରର ଫ୍ରଣ୍ଟ ପେଜ୍‌ରେ ଆଜି ପ୍ରକାଶ ପାଇଛି ସୁଜାତ ବୁଖାରୀଙ୍କ ଫଟୋ।  ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ଲେଖା ହୋଇଛି, ‘ଆପଣଙ୍କ ବିନା ଆମେ ଅନାଥ ହୋଇଗଲୁ। ଆପଣଙ୍କୁ ହତ୍ୟା କରିଥିବା କାପୁରୁଷଙ୍କୁ ଆମେ କିନ୍ତୁ ଡରିବୁ ନାହିଁ। ଯେତେ ଅପ୍ରିୟ ହେଲେ ମଧ୍ୟ ଆପଣଙ୍କ ଆଦର୍ଶକୁ ଅନୁସରଣ କରି ଆମେ ସତ ହିଁ କହିବୁ।’