ସିଦ୍ଧେଶ୍ୱର ସ୍ୱାମୀ ‘ପଦ୍ମଶ୍ରୀ’ ନେବାକୁ କାହିଁକି ମନାକଲେ?

ବେଙ୍ଗାଲୁରୁ: କର୍ଣ୍ଣାଟକ ସ୍ଥିତ ବିଜୟପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସିଦ୍ଧେଶ୍ୱର ସ୍ୱାମୀ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ବିନମ୍ରତାର ସହ ମନା କରି ଦେଇଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି।

ସେ ଚିଠିରେ ଲେଖିଛନ୍ତି, ‘‘ମୋତେ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ ଭାରତ ସରକାର ଚୟନ କରିଥିବା ଯୋଗୁଁ ମୁଁ ଧନ୍ୟବାଦ ଦେଉଛି। ତେବେ ମୁଁ ଏହା ଜଣାଇ ଦେବାକୁ ଚାହୁଁଛି ଯେ ଏହି ପୁରସ୍କାର ଗ୍ରହଣ କରିବାକୁ ମୋର ଆଗ୍ରହ ନାହିଁ। ସନ୍ୟାସୀ ହୋଇଯାଇଥିବା ଯୋଗୁଁ ଏହି ପୁରସ୍କାର ପ୍ରତି ମୋର ଆଗ୍ରହ ନାହିଁ। ଆଶା କରୁଛି ମୋର ନିଷ୍ପତ୍ତିକୁ ଆପଣ ପ୍ରଶଂସା କରିବେ।”

ସବୁବର୍ଷ ପରି ଏହି ବର୍ଷ ମଧ୍ୟ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରାଯାଇଥିଲା। ଏଥର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୮୫ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ସେଥିମଧ୍ୟରୁ ୩ ଜଣଙ୍କୁ ପଦ୍ମ ବିଭୂଷଣ ଓ ୯ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାର ଦିଆଯିବ। ଅନ୍ୟମାନଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ।