ସିଗାରେଟ୍ ମୂଲ୍ୟରେ ଯୁବତୀଙ୍କୁ ବିକ୍ରି କରୁଛି ଆଇଏସ୍

ନ୍ୟୁୟର୍କ: ଇରାକ୍ ଓ ସିରିଆରୁ ଅପହରଣ କରିଥିବା ଯୁବତୀ ମାନଙ୍କୁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ସିଗାରେଟ୍ ପ୍ୟାକେଟ୍ ଦରରେ ବିକ୍ରି କରୁଛି। କିଛି ଶହ ଟଙ୍କା ଅବା ହଜାରେ ଡଲାରେ ଅପହୃତ ଯୁବତୀ ଓ ମହିଳା ମାନଙ୍କୁ ବିକ୍ରି କରିଦେଉଛନ୍ତି ଏହି ଆତଙ୍କବାଦୀମାନେ। ଜାତିସଂଘର ଏକ ପ୍ରତିନିଧି ଦଳ ଏହି ସୂଚନା ଦେଇଛନ୍ତି। ଆଇଏସ୍ କବଳରୁ ଖସି ଆସିଥିବା କିଛି ଯୁବତୀ ଓ ମହିଳାଙ୍କ ନିକଟରୁ ସେମାନେ ଏହି ତଥ୍ୟ ପାଇଛନ୍ତି।

ଇରାକ ଓ ସିରିଆରେ ଆଇଏସ୍ ଆତଙ୍କବାଦୀମାନେ ଯେ କୌଣସି ଅଞ୍ଚଳକୁ ଅକ୍ତିଆର କରିବା ପରେ ମହିଳା ମାନଙ୍କୁ ଅପହରଣ କରିନେଉଛନ୍ତି । ଏପରିକି ନାବାଳିକା ମାନଙ୍କୁ ଅପହରଣ କରୁଛନ୍ତି। ସେମାନଙ୍କୁ ବନ୍ଦୀ କରି ରଖୁଛନ୍ତି। ଶାରୀରିକ ନିର୍ଯାତନା ଦେଉଛନ୍ତି।