ସିକ୍କିମ ଦେଶର ପ୍ରଥମ ଅର୍ଗାନିକ ରାଜ୍ୟ: ପ୍ରଧାନମନ୍ତ୍ରୀ

ଗ୍ୟାଙ୍ଗଟକ: ସିକ୍କିମ ଦେଶର ପ୍ରଥମ ଅର୍ଗାନିକ୍ ରାଜ୍ୟ ହୋଇଛି। ରାଜଧାନୀ ଗ୍ୟାଙ୍ଗଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି। ଏଥିସହିତ ମୋଦି ସେଠାରେ ରାଜ୍ୟ କୃଷିମନ୍ତ୍ରୀଙ୍କ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଦେଶରେ କୃଷି କ୍ଷେତ୍ରରେ କିପରି ଉନ୍ନତି କରାଯାଇ ପାରିବ, ସେ ନେଇ ସମ୍ମିଳନୀରେ ଆଲୋଚନା ହେଉଛି। କୃଷି କ୍ଷେତ୍ରରେ ବିକାଶ ନେଇ ସିକ୍କିମ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୋଦି ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ ଚାମଲିଂଙ୍କ ପ୍ରଶଂସା କରିଥିଲେ। ଏଥିସହ ଦେଶର ବିକାଶଶୀଳ ଚାଷୀଙ୍କ କାମକୁ ଅନଲାଇନରେ ଏକ ପୋର୍ଟାଲ୍ ମାଧ୍ୟମରେ ପ୍ରଦର୍ଶିତ କରିବା ପାଇଁ ମୋଦି ଆହ୍ୱାନ ଦେଇଛନ୍ତି।

ଗ୍ୟାଙ୍ଗଟକରେ ଜୈବିକ ଉତ୍ପାଦନକୁ ନେଇ ହେବାକୁ ଥିବା ଏକ ପ୍ରଦର୍ଶନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି।

ଆଜିଠାରୁ ମୋଦି ଦୁଇ ଦିନିଆ ଉତ୍ତର ପୂର୍ବ ରାଜ୍ୟ ଗସ୍ତରେ ବାହାରିଛନ୍ତି। ଗସ୍ତ ପୂର୍ବରୁ ସେ ଟ୍ୱଇଟ କରି କହିଥିଲେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ସାମୂହିକ ବିକାଶ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ସେ ଏ ନେଇ କରିଥିବା ଏକାଧିକ ଟ୍ୱିଟରେ କହିଛନ୍ତି, ‘ଦୁଇ ଦିନିଆ ଉତ୍ତରପୂର୍ବ ରାଜ୍ୟ ଗସ୍ତରେ ଯିବା ପାଇଁ ମୁଁ ଉତ୍ସୁକତାର ସହିତ ଅପେକ୍ଷା କରିଛି। ସିକ୍କିମ ଓ ଆସାମରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗ ଦେବି। ଆସନ୍ତାକାଲି ମୁଁ ଆସାମରେ ଥିବି। ସେଠାରେ ମୁଁ ଆସାମର ଯୁବବର୍ଗଙ୍କ ସହିତ ଆଲୋଚନା କରିବି। ଉତ୍ତରପୂର୍ବ ରାଜ୍ୟରେ ଆଇଆଇଟି, ଏନଆଇଟି ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବି।’