ସିରିଆରେ ୧୭ ଜଣ ନାଗରିକଙ୍କୁ ହତ୍ୟା କଲା ଆଇଏସ୍

ବେରୁତ: ଇରାକ ଓ ସିରିଆରେ ନିଜର ସାମ୍ରାଜ୍ୟ ସ୍ଥାପନ ପାଇଁ ଚେଷ୍ଟା କରୁଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) ସିରିଆର ପାଲମ୍ୟାରା ସହରର ୧୭ ଜଣ ନାଗରିକଙ୍କୁ ହତ୍ୟା କରିଛି। ସିରିଆରେ ମାନବାଧିକାରୀ ଯାଞ୍ଚରେ ଲାଗିଥିବା ବ୍ରିଟେନର ଏକ ସଂସ୍ଥାର କହିବାନୁଯାୟୀ ଆଇଏସ୍ ଆତଙ୍କବାଦୀ ପ୍ରାଚୀନ ସହର ପାଲମ୍ୟାରାରେ  ସିରିଆର ସୁରକ୍ଷାବଳ ଓ  ସରକାରଙ୍କୁ ସମର୍ଥନ କରୁଥିବା ୧୭ ଜଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ମୁଣ୍ଡ କାଟି ଦେଇଥିଲେ ଆତଙ୍କୀମାନେ।

ଆଇଏସ ଆତଙ୍କବାଦୀମାନେ ଚଳିତ ସପ୍ତାହରେ ୟୁନିସ୍କୋ ଦ୍ୱରା ଐତିହ୍ୟ ସହରର ମାନ୍ୟତା ପାଇଥିବା ପାଲମ୍ୟାରାକୁ କବଜା କରିଥିଲେ । ଏହି ପ୍ରାଚୀନ ସହରଟିକୁ କବଜା କରିବା ପରଠାରୁ ଆଇଏସ ଆତଙ୍କୀମାନେ ୫୦ ଜଣଙ୍କୁ ହତ୍ୟା କରି ସାରିଲେଣି।