ସିରିଆ: ସାମରିକ ଅଭିଯାନ ଯୋଗୁଁ ବିସ୍ଥାପିତ ହେଲେଣି ୩୫ ହଜାର ଲୋକ

ବେରୁତ୍: ସିରିଆ ସରକାରଙ୍କ ପକ୍ଷରୁ ଆଇଏସଆଇଏସ୍ ଆତଙ୍କବାଦୀଙ୍କୁ ଦମନ କରିବାକୁ ଚାଲିଥିବା ସାମରିକ ଅଭିଯାନ କାରଣରୁ ଦେଶରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ରୁଷର ବିମାନ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୩୭୦ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ଏଲେପ୍ପୋ ସହରର ଦକ୍ଷିଣ ଭାଗରୁ ଲୋକ ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି। ସିରିଆର ସେନା ବାହିନୀ ଓ ରୁଷର ବାୟୁ ସେନା ଏହି ଅଞ୍ଚଳରେ ନିଜର ଅଭିଯାନକୁ ତୀବ୍ର କରିଛି। ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଏଲେପ୍ପୋର ଦକ୍ଷିଣାଞ୍ଚଳରୁ ପ୍ରାୟ ୩୫ ହଜାର ଲୋକ ବିସ୍ଥାପିତ ହୋଇ ସାରିଲେଣି।

ଆମେରିକାର ଓ ଅନ୍ୟ କିଛି ପ୍ରମୁଖ ରାଷ୍ଟ୍ରଙ୍କ ଭିନ୍ନମତ ସତ୍ତ୍ୱେ ସେପ୍ଟେମ୍ବର ୩୦ରୁ ରୁଷ ସିରିଆରେ ବିମାନ ଦ୍ୱାରା ଆକ୍ରମଣ ଆରମ୍ଭ କରିଛି।   ରୁଷର ବିମାନ ଆକ୍ରମଣ ଅଭିଯାନ ଚତୁର୍ଥ ସପ୍ତାହରେ ପହଞ୍ଚିବା ବେଳେ ମସ୍କୋ ଓ ୱାଶିଂଟନରେ ଘୋଷଣା କରିଛନ୍ତି ଯେ ସିରିଆ ଉପରେ ବିମାନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସହମତି ପ୍ରକାଶ ପାଇଛି।