ବିଜେପିକୁ ହରାଇବା ପାଇଁ କଂଗ୍ରେସ ସହ ହାତ ମିଶାଇବାକୁ ପ୍ରସ୍ତୁତ: ସୀତାରାମ ୟେଚୁରି

ସୀତାରାମ ୟେଚୁରି ପୁଣି ଥରେ ସିପିଏମର ମହାସଚିବ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳର ୯୫ ଜଣିଆ ସେଣ୍ଟ୍ରାଲ କମିଟି ସୀତାରାମ ୟେଚୁରୀଙ୍କୁ ପୁଣି ଥରେ ଏହି ଦାୟିତ୍ୱ ଦେଇଛି। ହାଇଦ୍ରାବାଦରେ ଅନୁଷ୍ଠିତ ଦଳର ୨୨ତମ କଂଗ୍ରେସରେ ତାଙ୍କୁ ୩ ବର୍ଷ ପାଇଁ ଏହି ଦାୟିତ୍ୱ ଦିଆଯାଇଛି। ଏହା ଆଗରୁ ୨୦୧୫ରେ ୟେଚୁରିଙ୍କୁ ପ୍ରଥମ ଥର ପାଇଁ ଦଳର ମହାସଚିବ ପଦ ମିଳିଥିଲା। ଦେଶରେ ବାମପନ୍ଥୀ ଆନ୍ଦୋଳନର ପ୍ରଭାବ ଦିନକୁ ଦିନ କମି ଆସୁଛି। ଦଳ କେବଳ କେରଳରେ ଏବେ କ୍ଷମତାରେ ଅଛି। ପଶ୍ଚିମବଙ୍ଗ, ତ୍ରିପୁରା ସହିତ ଅନ୍ୟ ରାଜ୍ୟରେ ମଧ୍ୟର ଦଳର ଅବସ୍ଥା ବହୁତ ଦୁର୍ବଳ। ଏହି ସମୟରେ ୟେଚୁରି କିପରି ଦଳକୁ ଉପରକୁ ନେଇ ପାରୁଛନ୍ତି ଓ ସାଂପ୍ରତିକ ରାଜନୀତିରେ ସିପିଏମର ଗୁରୁତ୍ୱକୁ ଫେରାଇ ଆଣିପାରୁଛନ୍ତି, ତାହା ମୁଖ୍ୟ ଚ୍ୟାଲେଞ୍ଜ ହେବ। ବିଜେପିକୁ ହରାଇବା ପାଇଁ କଂଗ୍ରେସ ସହିତ ହାତ ମିଶାଇବାକୁ ୟେଚୁରି ପ୍ରସ୍ତୁତ ଥିବା ବେଳେ ଏହାକୁ ଜୋରଦାର ବିରୋଧ କରୁଛନ୍ତି ପ୍ରକାଶ କରାତଙ୍କ ଗୋଷ୍ଠୀ।