ହଟହଟା: ବିମାନରେ ବସିବାକୁ ଟିକେଟ୍ ପାଉ ନାହାନ୍ତି ଶିବସେନା ସାଂସଦ

ନୂଆଦିଲ୍ଲୀ: ହରଡ଼ଘଣାରେ ଶିବସେନା ଏମପି ରବୀନ୍ଦ୍ର ଗଏକୱାର୍ଡ଼। ବିମାନରେ ଯିବା ପାଇଁ ହେଉଛନ୍ତି ହଟହଟା। ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ମାଡ଼ ମାରିବା ପରେ ଏମପି ରବୀନ୍ଦ୍ରଙ୍କ ପାଇଁ ବଢୁଛି ଅଡ଼ୁଆ। ବିମାନ ଯାତ୍ରା ପାଇଁ ସେ ୭ ଥର ଉଦମ୍ୟ କଲେଣି। ହେଲେ ସବୁଥର ବିଫଳ । ଯେଉଁ ଏୟାରଲାଇନ୍ସରେ ଯିବା ପାଇଁ ଟିକେଟ୍‌ କଲେ ବି ବାତିଲ ହୋଇଯାଉଛି। ଏପରିକି ନିଜ ନାମ ସହ ଅନ୍ୟ ନାମ ଯୋଡ଼ି ଟିକେଟ କରୁଥିଲେ ବି ଶେଷ ମୁହୂର୍ତ୍ତରେ ଧରାପଡ଼ି ଯାଉଛନ୍ତି।  ଗତ ମଙ୍ଗଳବାରଠାରୁ ତାଙ୍କ ପାଇଁ ଏଭଳି ସମସ୍ୟା ଲାଗି ରହିଛି।

ଏହି ୭ ଥର ମଧ୍ୟରେ ୫ ଥର ଦିଲ୍ଲୀ ଯିବା ପାଇଁ ଟିକେଟ୍‌  ହୋଇଥିଲା।  ସେଥିରେ ୨ଥର ସେ ନିଜ ନାମ ସହ ଅନ୍ୟ ଜଣଙ୍କ ନାମ ଯୋଡ଼ି ଟିକେଟ ମଧ୍ୟ କରିଥିଲେ। ହେଲେ ତାଙ୍କର ସବୁ ଚାଲ ଏୟାର ଇଣ୍ଡିଆ ଧରି ନେଇଥିଲା। ସେହିପରି ଗତ ଶୁକ୍ରବାର ଦିଲ୍ଲୀରୁ ପୁନେ ପାଇଁ ସେ ଦୁଇଟି ଟିକେଟ ଯୋଗାଡ଼ କରିଥିଲେ। ଗୋଟିଏ ଏୟାର ଇଣ୍ଡିଆ ଓ ଅନ୍ୟଟି ଇଣ୍ଡିଗୋରେ ହୋଇଥିଲା। ହେଲେ ଦୁଇଟି ଯାକ ଟିକେଟ ବାତିଲ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ, ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ମାଡ଼ ମାରିବା ପରେ ସବୁ ବିମାନ ବନ୍ଦରରେ ଏମପି ରବୀନ୍ଦ୍ର ଗଏକୱାର୍ଡ଼ଙ୍କୁ ବାରଣ କରାଯାଇଛି। ତେଣୁ ଗତ ସପ୍ତାହରେ ହାଇଦ୍ରାବାଦରୁ ସେ ଦିଲ୍ଲୀକୁ ନିଜ କାରରେ ଯାଇଥିଲେ।