ମାତ୍ର ଜଣେ ଭୋଟର ପାଇଁ ୨ ଦିନର ଯାତ୍ରା ପରେ ବୁଥ୍‌ ସ୍ଥାପନା କଲେ ୬ ଅଧିକାରୀ

ନୂଆଦିଲ୍ଲୀ: ସକାଳ ୯.୩୦ ବେଳକୁ ଅରୁଣାଚଳର ମାଲୋଗାମ୍‌ ଗାଁରେ ଶତପ୍ରତିଶତ ଭୋଟ୍‌ ସରିଯାଇଥିଲା। ଏହି ଗାଁର ଏକମାତ୍ର ଭୋଟର ସୋକେଲା ତୟଙ୍ଗ ଟିଣରେ ତିଆରି ପୋଲିଂ ବୁଥ୍‌ରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ମତଦାନ କରିବା ଅନ୍ୟ କେତେକ କାରଣରୁ ମଧ୍ୟ ସ୍ୱତନ୍ତ୍ର ଥିଲା। ଜଙ୍ଗଲ ଓ ପାହାଡ଼ ଘେରା ଗାଁଟି ତିବ୍ବତ ସୀମାରେ ଅଛି। ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ଗାଁରେ ୫ ଜଣ ନାଗରିକ ଏବଂ ଗୋଟିଏ ପରିବାର ବସବାସ କରନ୍ତି। ଆଉ ପୂରା ଗାଁରେ ତୟଙ୍ଗ ଏକମାତ୍ର ପଞ୍ଜୀକୃତ ଭୋଟର।

ମାତ୍ର ଜଣେ ଭୋଟରଙ୍କ ପାଇଁ ଏତେ ଦୂର ଯାଇଥିବା ଏହି ପୋଲିଂ ଟିମ୍‌ର ନେତୃତ୍ୱ ନେଇଥିଲେ ଗାମ୍ମାର ବାମ୍‌। ସେ ଅରୁଣାଚଳ ପାୱାର ଡିପାର୍ଟମେଣ୍ଟରେ କାର୍ଯ୍ୟ କରନ୍ତି। ଆଉ ଏହି ଯାତ୍ରା ପାଇଁ ସେ ବୁଧବାର ସକାଳୁ ବାହାରିଯାଇଥିଲେ। ପ୍ରଥମେ ବସ୍‌ ଏବଂ ଏହାପରେ ପାଦରେ ଚାଲି ସେମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ।

ସାଧାରଣତଃ ପୋଲିଂ ଟିମ୍‌ ନିର୍ଦ୍ଦିଷ୍ଟ ଭାବରେ କିଏ ଯିବ, ତାହା ବଛାଯାଇନଥାଏ। କିନ୍ତୁ ଏହି କ୍ଷେତ୍ରରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସେମାନଙ୍କୁ ହିଁ ବଛାଯାଇଥିଲା ଯେଉଁମାନେ ପାହାଡ଼ ଚଢ଼ା ଜାଣିଥିବେ। ଆଉ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ନିର୍ବାଚନ ପୂର୍ବରୁ ଜଣେ ଅଧିକାରୀ ଏହି ଠିକଣା ଠାବ କରିବା ସହିତ ସୋକେଲା ତୟଙ୍ଗଙ୍କୁ ନିର୍ବାଚନ ତାରିଖ ବାବଦରେ ସୂଚନା ଦେବାକୁ ଯାଇଥିଲେ। ଯଦିଓ ଭୋଟ୍‌ଦାନ ସକାଳ ସକାଳୁ ସରିଯାଇଥିଲା, ଖରାପ ମୋବାଇଲ ନେଟ୍‌ୱର୍କ କାରଣରୁ ତୟଙ୍ଗ ଭୋଟ୍‌ ଦେଇଥିବା କଥା ଖୁବ୍‌ ଡେରିରେ ଜଣାପଡ଼ିଥିଲା।

ଏନେଇ ଆସିଷ୍ଟାଣ୍ଟ ରିଟର୍ଣ୍ଣ ଅଫିସର ସୋଡ଼େ ପୋଟମ୍‌ କହନ୍ତି, ଆମେ କାହାକୁ ଭୋଟ୍‌ଦାନରୁ ବଞ୍ଚିତ କରିପାରିବାନି। କେବଳ ଠିକଣା ସମସ୍ୟା ପାଇଁ ସେମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରୁ ବଞ୍ଚିତ କରିହେବନି।