ବିଜେପିରେ ସାମିଲ ହେବେ ଏସ୍‌ଏମ୍‌ କ୍ରିଷ୍ଣା: ୟେଦିରୁପା

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୟୁପିଏ ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ଏସ୍‌ଏମ୍‌ କ୍ରିଷ୍ଣା ଗତ ସପ୍ତାହରେ କଂଗ୍ରେସରୁ ଇସ୍ତଫା ଦେବା ପରେ ଖୁବ୍‌ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଏହି ସୂଚନା ଦେଇଛନ୍ତି କର୍ଣ୍ଣାଟକର ବିଜେପି ସଭାପତି ବି.ଏସ୍. ୟେଦିରୁପା।

ସେ କହିଛନ୍ତି, ଏସ୍‌ଏମ୍‌ କ୍ରିଷ୍ଣା ବିଜେପିରେ କେବେ ସାମିଲ ହେଉଛନ୍ତି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ବିଜେପିରେ ତାଙ୍କର ସାମିଲକୁ ନେଇ ତୁରନ୍ତ ନିଷ୍ପତ୍ତି ନିଆଯାଇ ସୂଚନା ଦିଆଯିବ। କିନ୍ତୁ ଏହା ଶହେ ପ୍ରତିଶତ ସତ ଯେ କ୍ରିଷ୍ଣା ବିଜେପିରେ ଖୁବ୍‌ ଶୀଘ୍ର ସାମିଲ ହେବେ।

କଂଗ୍ରେସ ପାର୍ଟି ସହ ନିଜର ସଂପର୍କ ତୁଟାଇ ଥିବା ଖବର ଘୋଷଣା କରି କ୍ରିଷ୍ଣା କହିଛନ୍ତି, “ଅଧିକ ବୟସ କାରଣ ଦର୍ଶାଇ କଂଗ୍ରେସ ପାର୍ଟି ମୋ ପରି ଜଣେ ବିଶ୍ୱସ୍ତ କର୍ମୀଙ୍କୁ ଦଳର କୌଣସି କାର୍ଯ୍ୟଭାର ତୁଲାଇବାକୁ ନ ଦେବା ଘଟଣା ମୋତେ ବହୁତ ଆଘାତ ଦେଇଛି।”

ସେ କହିଛନ୍ତି,“ କଂଗ୍ରେସ ପାର୍ଟିକୁ ବର୍ତ୍ତମାନ ନେତା ନୁହେଁ ମ୍ୟାନେଜରମାନଙ୍କ ଆବଶ୍ୟକତା ରହିଛି। ଯେଉଁମାନେ ସ୍ଥିତିକୁ ସମ୍ଭାଳିପାରିବେ। ବୟସ ହୋଇଯିବା ଏକ ମାନସିକ ସ୍ତରର ଚିନ୍ତାଧାରା କେବଳ। କାରଣ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଯୁବାବସ୍ଥାରେ ମଧ୍ୟ ସେତିକି ସକ୍ରିୟ ନଥାନ୍ତି।”

କଂଗ୍ରେସ ସହିତ ପାଖାପାଖି ପାଞ୍ଚଦଶରୁ ଅଧିକ ସମୟ ବିତାଇଥିବା ୮୪ ବର୍ଷୀୟ କ୍ରିଷ୍ଣା ପ୍ରଥମଥର ୧୯୬୮ରେ ମାଣ୍ଡୟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ସେ କେନ୍ଦ୍ର ମନ୍ତ୍ରୀ ରହିଥିଲେ। ୧୯୯୯ରେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ୨୦୦୪ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିଥିଲେ।

ଏହାପରେ ମନମୋହନ ସିଂ କ୍ୟାବିନେଟ୍‌ରେ ସେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ମଧ୍ୟ ରହିଥିଲେ। ୨୦୧୨ରେ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ କର୍ଣାଟକ ରାଜ୍ୟ ରାଜନୀତିକୁ ଫେରିଥିଲେ। କିନ୍ତୁ କଂଗ୍ରେସ ଏହି ସମୟରେ ଜେଡିଏସ୍‌ରୁ ଆସିଥିବା ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ଦୀର୍ଘ ଦୁଇ ବର୍ଷ ଧରି ସେ ପାର୍ଟିର କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇ ନଥିଲେ।