ମଧ୍ୟାହ୍ନ ଭୋଜନରେ ବାହାରିଲା ସାପ

ଫରିଦାବାଦ: ଛାତ୍ରଛାତ୍ରୀଙ୍କୁ ଉତ୍ତମ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ପୁଷ୍ଟିକର ଖାଦ୍ୟ ଖାଇବାରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହେଉଛନ୍ତି। ମଧ୍ୟାହ୍ନ ଭୋଜନ ନାଁରେ ପିଲାମାନଙ୍କୁ ଦିଆଯାଉଛି ବିଷ। ମଧ୍ୟାହ୍ନ ଭୋଜନରେ କେବେ ଝିଟିପିଟି ତ ଆଉ କେବେ ପଡୁଛି ଅସରପା । କିନ୍ତୁ ଏଥର ମଧ୍ୟାହ୍ନ ଭୋଜନରୁ ବାହାରିଛି ସାପ। ଏହି ଘଟଣା ଘଟିଛି ହରିୟାଣାର ଫରିଦାବାଦ ସ୍ଥିତ ରାଜକୀୟ କନ୍ୟା ସ୍କୁଲରେ।

ସ୍କୁଲର ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଏକ ସାପ ଛୁଆ ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେସଙ୍ଗେ ଏହି ଖାଦ୍ୟ ଖାଇବାକୁ ଛାତ୍ରୀମାନଙ୍କୁ ଶିକ୍ଷକମାନେ ମନା କରି ଦେଇଥିଲେ।  ଏହି ମଧ୍ୟାହ୍ନ ଭୋଜନ ଖାଇଥିବା କିଛି ଛାତ୍ରୀଙ୍କର ବାନ୍ତି ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇ ଦେଇଛନ୍ତି।

ସୌଜନ୍ୟ- ନଇ ଦୁନିଆ, ଫଟୋ-ନଇ ଦୁନିଆ