ବସ୍ତିରେ ସାବୁନ ଓ ସାମ୍ପୁ ବାଣ୍ଟିଲା ପ୍ରଶାସନ, କହିଲା ଯୋଗୀଙ୍କ ସାମ୍ନାକୁ ଆସିଲା ବେଳକୁ ଯେପରି ନ ଗନ୍ଧାଅ

ନୂଆଦିଲ୍ଲୀ: ୟୁପିରେ ସୃଷ୍ଟି ହୋଇଛି ଅଜବ ସ୍ଥିତି। ଯେଉଁମାନଙ୍କ ଘରେ ଖାଇବା ପାଇଁ ନାହିଁ ସେମାନଙ୍କୁ କୁହାଯାଉଛି ସାବୁନ ଓ ସାମ୍ପୁରେ ଗାଧୋଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ଆସିବାକୁ। ନିକଟରେ କୁଶୀନଗୀ ସୁସହରରେ ଘଟିଛି ଏମିତି ଏକ ଘଟଣା।

ଗତ ଗୁରୁବାର ଏକ ଟୀକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯୋଗୀ ଆଦିତ୍ୟନାଥ କୁଶୀନଗର ଆସିଥିଲେ। ସେ କୁଶୀନଗରର ସୁସହର ବସ୍ତିକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ସେଠାରେ ବସବାସ କରୁଥିବା ଦଳିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସାବୁନ୍ ଓ ସାମ୍ପୁ ଦିଆଯାଇଥିଲା। ଏହା ସହିତ ପରଫ୍ୟୁମ୍‌ ବି ଦିଆଯାଇଥିବା ଖବର ଆସିଛି। ଏହା ସହିତ ଏହି ଲୋକମାନଙ୍କୁ ଭଲ ଭାବେ ଗାଧୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଆସିବା ବେଳେ ଯେପରି କାହାରି ଦେହରୁ ଦୁର୍ଗନ୍ଧ ନ ବାହାରେ ସେଥିପ୍ରତି ଦୃଷ୍ଟି ଦେବାକୁ ସେମାନଙ୍କୁ କୁହାଯାଇଥିଲା।

ଏକଥା ଜଣାପଡ଼ିବା ପରେ ପ୍ରଶାସନକୁ ବିଭିନ୍ନ ବର୍ଗରୁ ସମାଲୋଚିତ ହେବାକୁ ପଡ଼ିଛି। ସୁସହର ବସ୍ତିର ଲୋକେ ବହୁତ ଗରିବ। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ସେମାନଙ୍କ ପକ୍ଷେ ଭାରି କଷ୍ଟକର। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ସାବୁନ ଓ ସାମ୍ପୁ ଆଦି ସାତ ସପନ। କୁହାଯାଉଛି ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ସେମାନଙ୍କୁ ସାବୁନ ଦେବା କିଛି ଖରାପ କଥା ନୁହେଁ। କିନ୍ତୁ ଯେଉଁ ପ୍ରଶାସନ ସେମାନଙ୍କୁ କେବେ ଦୁଇ ଖଣ୍ଡ ରୁଟି ଦେବା ପାଇଁ ଆସିନି ସେମାନେ ମୁଖ୍ୟମନ୍ତ୍ରୀ ଯେପରି ଦୁର୍ଗନ୍ଧ ନ ହେବ ସେଥିପାଇଁ ସାମ୍ପୁ ଓ ସାବୁନ ବାଣ୍ଟିଛନ୍ତି।

ସୌଜନ୍ୟ- ଆଜ୍‌ତକ୍‌