‘ସୋଲାର ପାୱର’ ଘୋଟାଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେରଳ ମୁଖ୍ୟମନ୍ତ୍ରୀ

ତିରୁଅନନ୍ତପୁରମ: ‘ସୋଲାର ପାୱର’ ଦୁର୍ନୀତିରେ କେରଳର ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ବିରୁଦ୍ଧରେ ତ୍ରିଶୁର କୋର୍ଟ ମାମଲା ରୁଜୁ କରିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ  ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ସରିତା ନାୟାର ଅଭିଯୋଗ କରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ୧.୯୦ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି। ତାଙ୍କର ଏହି ଅଭିଯୋଗ ପରେ ତ୍ରିଶୁର ଏକ କୋର୍ଟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଗତକାଲି ଲାଞ୍ଚ ନେବା ଅଭିଯୋଗକୁ ଅସ୍ୱୀକାର କରିଥିଲେ। ମୁଖ୍ୟ ଅଭିଯୁକ୍ତ ସରିତା ଉପରେ ପାଲଟା ଆକ୍ରମଣ କରି ଚାଣ୍ଡି କହିଥିଲେ କାହିଁକି ସେ ମୋତେ ଲାଞ୍ଚ ଦେଇଥିଲେ? ଲାଞ୍ଚ ବଦଳରେ ତାଙ୍କୁ ରାଜ୍ୟ ସରକାର କେଉଁ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ?

ସେ କହିଥିଲେ, ସରିତା ଓ ତାଙ୍କ ଟିମକୁ ସରକାର କୌଣସି ପ୍ରକାର ଆର୍ଥିକ ସହାୟତା ଦେଇ ନାହାନ୍ତି କି ଏଥିଯୋଗୁଁ ସରକାରଙ୍କୁ କୌଣସି ପ୍ରକାର ଆର୍ଥିକ କ୍ଷତି ସହିବାକୁ ପଡ଼ିନାହିଁ।  ତେବେ ଚାଣ୍ଡି କହିଛନ୍ତି ଯେ ଗିରଫଦାରୀ ପୂର୍ବରୁ ସେ ସରିତାଙ୍କୁ ୩ ଥର ଭେଟିଥିଲେ। କିନ୍ତୁ ଗିରଫଦାରୀ ପରେ ସେ ଜାଣିବାକୁ ପାଇଲେ ଯେ ସରିତା ଆର୍ଥିକ ଅନିୟମିତତା କରିଛନ୍ତି।

ସୂଚନାଯୋଗ୍ୟ, ସରିତା ନାୟାର ଓ ତାଙ୍କ ଲିଭ୍ ଇନ୍ ପାର୍ଟନର ବିଜୁ ରାଧାକୃଷ୍ଣନ ୨୦୧୧ ମସିହାରେ ସୌର ଶକ୍ତି ସହିତ ଜଡ଼ିତ ଏକ କଂପାନୀ ଖୋଲିଥିଲେ। ସୌର ଶକ୍ତି ପ୍ରକଳ୍ପ ନାଁରେ ସେମାନେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନିଜ ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ରାଧାକୃଷ୍ଣନ ମୁଖ୍ୟମନ୍ତ୍ରୀ ଚାଣ୍ଡିଙ୍କୁ ୫.୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ନେଇ ଅଭିଯୋଗ କରିଥିଲେ।