ସୋଲାର ପାୱାର ଘୋଟାଲା: କେରଳ ମୁଖ୍ୟମନ୍ତ୍ରୀ ୧ କୋଟି ୯୦ ଲକ୍ଷ ଲାଞ୍ଚ ନେଇଥିବା ଅଭିଯୋଗ

ତିରୁଅନନ୍ତପୁରମ: କେରଳର ବହୁ ଚର୍ଚ୍ଚିତ ‘ସୋଲାର ପାୱାର’ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାରଙ୍କଠାରୁ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି ୧ କୋଟି ୯୦ ଲକ୍ଷ ନେଇଛନ୍ତି ବୋଲି ଅଭିଯୋଗ ଆସିଛି। ଆଉ ଏ ଅଭିଯୋଗ  କରିଛନ୍ତି ନିଜେ  ଅଭିଯୁକ୍ତ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ରାଜ୍ୟର ଶକ୍ତି ମନ୍ତ୍ରୀ ଅର୍ୟାଦନ ମୋହମ୍ମଦ ମଧ୍ୟ ତାଙ୍କଠାରୁ ୪୦ ଲକ୍ଷ ଲାଞ୍ଚ ନେଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସରିତା ଉପରେ ପାଲଟା ଆକ୍ରମଣ କରି ଚାଣ୍ଡି କହିଛନ୍ତି କାହିଁକି ସେ ମୋତେ ଲାଞ୍ଚ ଦେଇଥିଲେ? ଲାଞ୍ଚ ବଦଳରେ ତାଙ୍କୁ ରାଜ୍ୟ ସରକାର କେଉଁ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ?

ସେ କହିଛନ୍ତି, ସରିତା ଓ ତାଙ୍କ ଟିମକୁ ସରକାର କୌଣସି ପ୍ରକାର ଆର୍ଥିକ ସହାୟତା ଦେଇ ନାହାନ୍ତି କି ଏଥିଯୋଗୁଁ ସରକାରଙ୍କୁ କୌଣସି ପ୍ରକାର ଆର୍ଥିକ କ୍ଷତି ସହିବାକୁ ପଡ଼ିନାହିଁ।  ତେବେ ଚାଣ୍ଡି କହିଛନ୍ତି ଯେ ଗିରଫଦାରୀ ପୂର୍ବରୁ ସେ ସରିତାଙ୍କୁ ୩ ଥର ଭେଟିଥିଲେ। କିନ୍ତୁ ଗିରଫଦାରୀ ପରେ ସେ ଜାଣିବାକୁ ପାଇଲେ ଯେ ସରିତା ଆର୍ଥିକ ଅନିୟମିତତା କରିଛନ୍ତି।

ଏହି ମାମଲାରେ ନ୍ୟାୟିକ ଆୟୋଗ ସମ୍ମୁଖରେ ଲାଇଡିଟେକ୍ଟ ଟେଷ୍ଟ କରିବାକୁ ଓମାନ ଚାଣ୍ଡି ମନା କରି ଦେବା ପରେ ସରିତା ଏହି ଲାଞ୍ଚ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ସରିତା ନାୟାର ଓ ତାଙ୍କ ଲିଭ୍ ଇନ୍ ପାର୍ଟନର ବିଜୁ ରାଧାକୃଷ୍ଣନ ୨୦୧୧ ମସିହାରେ ସୌର ଶକ୍ତି ସହିତ ଜଡ଼ିତ ଏକ କଂପାନୀ ଖୋଲିଥିଲେ। ସୌର ଶକ୍ତି ପ୍ରକଳ୍ପ ନାଁରେ ସେମାନେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନିଜ ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ରାଧାକୃଷ୍ଣନ ମୁଖ୍ୟମନ୍ତ୍ରୀ ଚାଣ୍ଡିଙ୍କୁ ୫.୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ନେଇ ଅଭିଯୋଗ କରିଥିଲେ।