ମହିଳା ନାଗା ସାଧୁଙ୍କ ବିଷୟରେ କିଛି ଗୁମର , ଜାଣିଲେ ହୋଇଯିବେ ତାଜୁବ୍‌

ଆମେ ସମସ୍ତେ ଜାଣିଛୁ ଯେ, କେବଳ ପୁରୁଷମାନେ ହିଁ ନାଗା ସାଧୁ ବନିଥାନ୍ତି।  କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମହିଳା ମାନେ ମଧ୍ୟ ନାଗା ସାଧୁ ହୋଇଥାନ୍ତି।  ଏହି  ଚର୍ଚ୍ଚା କରିବାର କାରଣ ହେଉଛି ଏଥର କୁମ୍ଭମେଳାରେ ବହୁ ସଂଖ୍ୟାରେ ନାଗା ମହିଳା ସାମିଲ ହେଉଛନ୍ତି। ତେଣୁ ଆମେ ଆଜି ସେମାନଙ୍କ ଜୀବନଶୈଳୀ ଉପରେ କିଛି ରହସ୍ୟ କହିବାକୁ ଯାଉଛୁ । ଯାହାକୁ ଜାଣିଲେ ଆପଣ ତାଜୁବ ହୋଇଯିବେ। ନାଗା ସାଧୁ ହେବାର ନିୟମ କ’ଣ, ସେମାନଙ୍କ ପୁଜାପଦ୍ଧତି କିପରି ଆଉ ବଞ୍ଚିବାର ଶୈଳୀ ଏସବୁକୁ ନେଇ ଜାଣନ୍ତୁ କିଛି ତଥ୍ୟ।

ମହିଳା ନାଗା ସାଧୁ ହେବାକୁ ହେଲେ ଯେକୌଣସି ମହିଳାଙ୍କୁ ୨୦ ବର୍ଷ  ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଅପରିହାର୍ଯ୍ୟ। ଏହା ପରେ ସମ୍ପୃକ୍ତ ମହିଳାଙ୍କୁ ନାଗା ସାଧୁ ହେବା ପାଇଁ ନିର୍ଣ୍ଣୟ ନିଆଯାଇଥାଏ।  ଏହି ନିଷ୍ପତ୍ତି ମହିଳା ନାଗା ସାଧୁଙ୍କ ଗୁରୁ ନେଇଥାନ୍ତି। ନାଗା ସନ୍ନ୍ୟାସ ହେବା ପୂର୍ବରୁ ମହିଳାଙ୍କୁ ସମ୍ପୂର୍ଣ୍ଣ ମୁଣ୍ଡନ କରିବାକୁ  ପଡ଼ିଥାଏ। ଅର୍ଥାତ ଲଣ୍ଡା ହେବାକୁ ପଡ଼ିଥାଏ।  ଏହା ପରେ ମହିଳା ଜଣଙ୍କୁ ପରିବାର ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା କଥା  ସାବ୍ୟସ୍ତ କରିବାକୁ ପଡ଼ିଥାଏ।  ସେହିପରି ସଂସାର ପ୍ରତି କୌଣସି ପ୍ରକାର ମାୟାମୋହ ନ ଥିବା ଶପଥ କରିବାକୁ ପଡ଼ିଥାଏ। ସନ୍ନ୍ୟାସ ହେବା ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ପରିବାର ବିଷୟରେ ଅନ୍ୟ ମହିଳା ସାଧୁସନ୍ଥମାନେ ଯାଞ୍ଚ କରିଥାନ୍ତି।

କୁମ୍ଭ ସ୍ନାନ ବେଳେ ଯେମିତି ପୁରୁଷ ନାଗାମାନେ ନିୟମ ନିଷ୍ଠାର ସହ ସ୍ନାନ କରିଥାନ୍ତି ସେହିପରି ମହିଳା ନାଗା ସାଧୁମାନେ ସ୍ନାନ କରିଥାନ୍ତି। କିନ୍ତୁ ପୁରୁଷମାନେ ନଗ୍ନ ଅବସ୍ଥାରେ ସ୍ନାନ କରୁଥିବା ବେଳେ ମହିଳାମାନେ ନଗ୍ନ ସ୍ନାନ କରିନଥାନ୍ତି।। ନାଗାମାନଙ୍କ ଆଖଡ଼ାରେ ମହିଳା ସାଧୁମାନଙ୍କୁ ପୁରା ସମ୍ମାନ କରାଯାଇଥାଏ। ନାଗା ସନ୍ନ୍ୟାସ ହେବା ପୂର୍ବରୁ ଜଣେ ମହିଳାଙ୍କୁ ପ୍ରଥମେ ନିଜର ପିଣ୍ଡଦାନ ଏବଂ ତର୍ପଣ କରିବାକୁ ପଡ଼ିଥାଏ।

ଅର୍ଥାତ ନିଜକୁ ମୃତ ବୋଲି ମାନିବାକୁ ପଡ଼ିଥାଏ। ମହିଳା ନାଗା ସନ୍ନ୍ୟାସମାନେ ପୁରାଦିନ ଭଗବାନଙ୍କୁ ସ୍ମରଣ କରିଥାଆନ୍ତି।  ସେମାନେ ଶିବଙ୍କ ନାମ ଭଜିଥାଆନ୍ତି। କେବଳ ଭୋଜନ ବେଳେ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇଥାନ୍ତି।  ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୩ ମହାକୁମ୍ଭମେଳାରେ ମହିଳା ନାଗା ସାଧୁଙ୍କ ଲାଗି ଆଖଡ଼ା ଏବଂ ସ୍ନାନ ପାଇଁ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଥିଲା।  ସେବେଠାରୁ ସବୁ କୁମ୍ଭ ମେଳାରେ ସେମାନଙ୍କୁ ସ୍ନାନ ପାଇଁ ଅନୁମତି ଦିଆଯାଇ ଆସୁଛି। ତେବେ ଏହାକୁ ନେଇ ବିରୋଧର ଝଡ଼ ମଧ୍ୟ ଉଠିଥିଲା।  ହେଲେ ଏହି ବିରୋଧ ବେଶିଦିନ ତିଷ୍ଟି ପାରି ନ ଥିଲା।