ପ୍ରଥମ ନିର୍ବାଚନ ବିଷୟରେ କିଛି ଜଣା ଅଜଣା କଥା

୪ ମାସ ଚାଲିଥିଲା ନିର୍ବାଚନ ପ୍ରକ୍ରିୟା

ନୂଆଦିଲ୍ଲୀ: ବିଶ୍ୱର ସର୍ବ ବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବାସୀ ଚଳିତ ଥର ୧୭ତମ ଲୋକସଭା ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରିବେ। ଦେଶର ଚାରିଆଡେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇ ସାରିଥିବା ବେଳେ ନେତାମାନେ ବି ସଭାସମିତି, ପ୍ରଚାର ଆରମ୍ଭ କରିଦେଲେଣି। କିଛି ବର୍ଷ ହେବ ରାଜନୈତିକ ଦଳଗୁଡ଼ିକ କ୍ୟାମ୍ପେନିଂ ନିମନ୍ତେ ଟେକ୍ନୋଲଜିକୁ ପ୍ରାଥମିକତା ଦେଉଛନ୍ତି। ହେଲେ ପୂର୍ବ ନିର୍ବାଚନଗୁଡ଼ିକରେ ଚିତ୍ର ଅଲଗା ଥିଲା।

ଆପଣମାନେ ଜାଣିଛନ୍ତି କି ସ୍ୱାଧୀନତା ପରେ କେବେ ଦେଶର ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା। ନିଜ ମତ ଅଧିକାର ସାବ୍ୟସ୍ତ କରିବାକୁ କିପରି ଲୋକଙ୍କୁ ସଚେତନ କରାଗଲା। ନିର୍ବାଚନ କମିଶନ କିପରି ପ୍ରଥମ ନିର୍ବାଚନ କରାଇଥିଲେ, ଏଥିପାଇଁ କଣ ନିୟମ ଲାଗୁ ହୋଇଥିଲା।

ତେବେ ଜାଣିବା ଆମ ଦେଶର ପ୍ରଥମ ଲୋକସଭା ନିର୍ବାଚନକୁ ନେଇ କିଛି ଜଣା ଅଜଣା କଥା।

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ପରେ ୧୯୫୦ ମସିହାରେ ସମ୍ବିଧାନ ଲାଗୁ ହୋଇଥିଲା। ଏହାପରେ ୧୯୫୧-୫୨ ମସିହାରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା। ୧୯୫୧ ମସିହା ୨୫ ଅକ୍ଟୋବରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ଫେବୃୟାରୀ ୧୯୫୨ ମସିହାରେ ଶେଷ ହୋଇଥିଲା। ଏହି ପ୍ରକିୟା ଦୀର୍ଘ ୪ ମାସ ଚାଲିଥିଲା।

 

ଉକ୍ତ ନିର୍ବାଚନରେ ୧୪ ରାଷ୍ଟ୍ରୀୟ ପାର୍ଟି, ୩୯ ରାଜ୍ୟସ୍ତରୀୟ ପାର୍ଟି ଆଉ କେତେକ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ। ୪୮୯ ଲୋକସଭା ଆସନ ନିମନ୍ତେ ମୋଟ ୧୭.୩ କୋଟି ଭୋଟର ଥିଲେ। ହେଲେ ଭୋଟ ବିଷୟରେ ସଚେତନ କରାଯାଇ ନ କରିବାରୁ ସେଥିମଧ୍ୟରୁ କେବଳ ୪୪ ପ୍ରତିଶନ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଥିଲେ। କଂଗ୍ରେସ, ସିପିଆଇ, ଭାରତୀୟ ଜନସଂଘ ପ୍ରମୁଖ ଜାତୀୟ ପାର୍ଟି ଥିଲେ।

ଜବାହାରଲାଲ ନେହରୁଙ୍କ ନେତୃତ୍ୱରେ ନିର୍ବାଚନ ଲଢି କଂଗ୍ରେସ ୪୮୯ ସିଟ୍‌ରୁ ୩୬୪ ଆସନ ହାସଲ କରିଥିଲା। ଫଳରେ ପୂର୍ଣ୍ଣ ବହୁମତ ହାସଲ କରି କଂଗ୍ରେସ କ୍ଷମତାକୁ ଆସିଥିଲା। ୧୬ ଆସନ ହାସଲ କରି ସିପିଆଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଉକ୍ତ ନିର୍ବାଚନରେ ସମାଜବାଦୀ ପାର୍ଟି ୧୨ ଓ ଭାରତୀୟ ଜନସଂଘ ୩ ସିଟ୍‌ ପାଇ ସନ୍ତୁଷ୍ଟ ହୋଇଥିଲେ।

ଉକ୍ତ ସମୟରେ ସୁକୁମାର ସେନ୍‌ ଦେଶର ପ୍ରଥମ ନିର୍ବାଚନ କମିଶନର ଥିଲେ। ମତଦାନ ସାବ୍ୟସ୍ତ କରିବାର ବୟସ ଏବେ ୧୮ ବର୍ଷ ଥିବା ବେଳେ ସେତେବେଳେ ତାହା ୨୧ ବର୍ଷ ଥିଲା। ଉକ୍ତ ସମୟରେ ଲୋକଙ୍କୁ ଭୋଟ ଦେବାକୁ ସଚେତନ କରିବାକୁ କିଛି ବ୍ୟବସ୍ଥା ନ ଥିଲା, ଯାହାକି ସୁକୁମାରଙ୍କ ନିକଟରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଥିଲା। ପ୍ରଥମ ନିର୍ବାଚନ ସମୟରେ ଇଭିଏମ୍‌ ମେଶିନ ନ ଥିବା ବେଳେ ଆଙ୍ଗୁଠା ମାରି ଲୋକେ ଭୋଟ ଦେଉଥିଲେ। ପ୍ରଥମ ନିର୍ବାଚନରେ ଅଢେଇ ଲକ୍ଷ କେନ୍ଦ୍ର ହୋଇଥିଲା। ଗାଁ ଗାଁରେ ପଥପ୍ରାନ୍ତ ନାଟକ କରି ଲୋକଙ୍କୁ ଭୋଟ ଦେବାକୁ ସଚେତନ କରାଯାଉଥିଲା।