ପ୍ରକାଶ କରାତଙ୍କ ପାଇଁ ହୋଇପାରିଲିନି ରାଷ୍ଟ୍ରପତି: ସୋମନାଥ ଚାଟାର୍ଜୀ

କୋଲକାତା: ସିପିଆଇଏମ୍‌ର ପୂର୍ବତନ ସାଧାରଣ ସଂପାଦକ ପ୍ରକାଶ କରାତ ଯୋଗୁଁ ସେ ରାଷ୍ଟ୍ରପତି ହୋଇପାରିଲେ ନାହିଁ ବୋଲି କହିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ। ଏକ ବଙ୍ଗାଳୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି।

ସେ କହିଛନ୍ତି,“୨୦୦୭ରେ ମୁଁ ଲୋକସଭାର ବାଚସ୍ପତି ଥିଲି। ଦିନେ ଶରଦ ଯାଦବ (ଜେଡିୟୁ ନେତା) ମୋତେ ସାକ୍ଷାତ କରିବାକୁ ଆସିଥିଲେ। ସେମାନେ ମୋତେ ରାଷ୍ଟ୍ରପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ। ମୁଁ ଜାଣିବାକୁ ପାଇଲି ଯେ କଂଗ୍ରେସର ନେତୃବର୍ଗ ତାଙ୍କୁ ମୋ ପାଖକୁ ପଠାଇଥିଲେ।”

ସୋମନାଥ କହିଥିଲେ,“ଜେଡିୟୁ, ଡିଏମ୍‌କେ, ବିଜେଡି, ଶିରୋମଣି ଅକାଳି ଦଳ ପ୍ରମୁଖ ମୋତେ ସମର୍ଥନ କରିବେ ବୋଲି କହିଥିଲେ। ତେବେ ଏନେଇ ସିପିଆଇଏମ୍‌ ନେତୃବର୍ଗଙ୍କ ସହ ଆଲୋଚନା କରିବାକୁ ମୁଁ ଶ୍ରୀ ଯାଦବଙ୍କୁ କହିଥିଲି।”

ସେ କହିଥିଲେ,“ମୋର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ୍ରସ୍ତାବକୁ ପ୍ରକାଶ କରାତ ଅଗ୍ରାହ୍ୟ କରି ଦେଇଥିଲେ। ସେ ବିରୋଧ କରି ନ ଥିଲେ ମୁଁ ରାଷ୍ଟ୍ରପତି ହୋଇଥାଆନ୍ତି। କାରଣ ବିଜେପି କାହାରିକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ନାହିଁ ବୋଲି ଘୋଷଣା କରିଥିଲା।”

ୟୁପିଏ ସରକାରର ପ୍ରଥମ ଶାସନ କାଳରେ ସମର୍ଥନ ପ୍ରତ୍ୟାହାର କରିବା ନେଇ ମଧ୍ୟ ପ୍ରକାଶ କରାତଙ୍କୁ ଏହି ସାକ୍ଷାତକାରରେ ସମାଲୋଚନା କରିଛନ୍ତି ସୋମନାଥ।