ବାପର ବେକ କାଟିଲା, ରକ୍ତ ବୋହିବାରୁ ଫେଭିକ୍ୱିକ୍‌ରେ ଯୋଡ଼ିଲା

ଲକ୍ଷ୍ନୌ: ଆମ ସମାଜରେ ଝିଅଙ୍କ ଅପେକ୍ଷା ପୁଅଙ୍କର ଗୁରୁତ୍ବ ବେଶୀ। ବର୍ଷ ବର୍ଷ ଧରି ଏହା ଆମ ସମାଜର ଚରିତ୍ର ପାଲଟି ଯାଇଛି। କିନ୍ତୁ ଯେତେବେଳେ କି ପୁଅ ଓ ଝିଅ ଉଭୟଙ୍କର ସମାନ ଅଧିକାର ଅଛି ଏବଂ ସମସ୍ତେ ସବୁ କାମ କରିପାରିବେ। କିନ୍ତୁ ଆମ ପରିବାର ଗୁଡ଼ିକରେ ଅଯଥାରେ ପୁଅଙ୍କୁ ଗୁରୁତ୍ବ ଦିଆଯାଏ। ଏହାର କାରଣ, ଆମେମାନେ ଭାବନ୍ତି, ପୁଅଟିଏ ବଡ଼ ହେଲେ ଆମ ବଂଶକୁ ଆଗକୁ ନେବ। କିନ୍ତୁ ଝିଅଟି ବାହାହୋଇ ଅନ୍ୟ ଘରକୁ ଚାଲିଯିବ। ସେହିପରି ପୁଅ ବଡ଼ ହେଲେ ବୁଢ଼ା ବାପା ମାଆଙ୍କର ଯତ୍ନ ନିଏ। ବାପା ମାଆ ପରଲୋକ ଗମନ କଲେ ତାଙ୍କୁ କାନ୍ଧରେ ନେଇ ସଂସ୍କାର କରିବ। ମୁହଁରେ ଟିକିଏ ନିଆଁ ଦେବ। ଆମେ ଝିଅଙ୍କୁ ହତାଦର କରି ପୁଅକୁ ଏତେ ଗୁରୁତ୍ବ ଦିଅନ୍ତି ସତ, କିନ୍ତୁ ସବୁବେଳେ କ’ଣ ପୁଅମାନେ ବାପା ମାଆଙ୍କ ଯତ୍ନ ନିଅନ୍ତି? ଏବେ ପଢ଼ନ୍ତୁ ଜଣେ ଅକାଳକୁଷ୍ମାଣ୍ଡ ପୁଅର ନିକୃଷ୍ଟ କାରନାମା, ଯିଏକି ନିଜ ବାପା ମାଆଙ୍କୁ ବୋଝ ବୋଲି ଭାବେ।

ଘଟଣାଟି ହେଉଛି ଉତ୍ତରପ୍ରଦେଶର ଦରିଆପୁର ଅଂଚଳର। ଏଠାକାର ବାସିନ୍ଦା, ୬୫ ବର୍ଷୀୟ ରାମଦେବ ମିଶ୍ର ରେଲୱେର ଜଣେ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କ ସହ ଘଟିଛି ଏକ ହୃଦୟବିଦାରକ ଘଟଣା। ନିଜ ଜନ୍ମକଲା ପୁଅ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟିବା ସହିତ, ପୁଣି ଫେଭିକ୍ୱିକ୍ ଅଠା ଦେଇ ଯୋଡ଼ିବାକୁ ଚେଷ୍ଟା କରିଛି। ରାମଦେବ ଏହି ସମୟରେ ଚିତ୍କାର କରିଥିଲେ। କିନ୍ତୁ ସଇତାନ ପୁଅ ଚିତ୍କାର ଯେପରି ଘରୁ ବାହାରକୁ ନ ଶୁଭିବ, ସେଥିପାଇଁ ଟିଭିର ସାଉଣ୍ଡ ବଢ଼ାଇ ଦେଇଥିଲା। କେବଳ ଶାରୀରିକ ନିର୍ଯାତନା ଦେବାକୁ ସେ ବାପାଙ୍କ ଉପରେ ଏମିତି ଅତ୍ୟାଚାର କରିଥିଲା। କିନ୍ତୁ ବାପାର ଅବସ୍ଥା ଗୁରୁତର ହେବା ଦେଖି ଘର ବନ୍ଦ କରି ପୁଅ ଫେରାର ହୋଇଯାଇଥିଲା। ଶୁଣିବାକୁ ମିଳୁଛି ଯେ ରାମଦେବ ଗୁରୁତର ଅବସ୍ଥାରେ ତିନିଦିନ ଯାଏଁ ବନ୍ଦ ଘରେ ପଡ଼ି ରହିଥିଲେ। ଟିଭିର ସାଉଣ୍ଡ ଅତ୍ୟଧିକ ଥିବାରୁ ତାଙ୍କ ଚିତ୍କାର କେହି ଶୁଣି ପାରିନଥିଲେ। ପରେ କରେଣ୍ଟ ପଳେଇବାରୁ ଟିଭି ବନ୍ଦ ହୋଇଯାଇଥିଲା। ରାମଦେବଙ୍କ ଚିତ୍କାର ପଡ଼ୋଶୀଙ୍କ କାନରେ ବାଜିଥିଲା। ପଡୋଶୀ ଏ ସମ୍ପର୍କରେ ଗାଁର ମୁଖିଆଙ୍କୁ ଜଣାଇଥିଲେ। ମୁଖିଆ ସେଠାରେ ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘରର ତାଲା ଭାଙ୍ଗିଥିଲା। ଘର ଭିତରର ଦୃଶ୍ୟ ସମସ୍ତଙ୍କ ଛାତି ଥରେଇ ଦେଇଥିଲା। ରକ୍ତ ଜୁଡ଼ବୁଡ଼ ଅବସ୍ଥାରେ ରାମଦେବ ତଳେ ପଡ଼ିଥିଲେ। ତାଙ୍କ ବେକରେ ଗଭୀର ଆଘାତ ଲାଗିଥିଲା। ପୋଲିସ ରାମଦେବଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ରାମଦେବଙ୍କ ଚିକିତ୍ସା ଚାଲିଛି।

ପଡ଼ୋଶୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ତାର ପ୍ରଥମ ସ୍ତ୍ରୀକୁ ଛାତରୁ ଠେଲି ହତ୍ୟା କରିଥିଲା। ଏହାପରେ ସେ ଦ୍ୱିତୀୟ ବିହାହ କରିଥିଲା। ତାର ପିଲାପିଲି ମଧ୍ୟ ଅଛନ୍ତି। ଏହି ଅଘଟଣ ପରେ ସେ ତା ସ୍ତ୍ରୀ ଓ ପିଲାଙ୍କୁ ନେଇ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।