ରାଜନୀତିରୁ ଅବସର ନେବେ ସୋନିଆ!

ନୂଆଦିଲ୍ଲୀ: ରାଜନୀତିରୁ ଅବସର ନେଇପାରନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ତଥା ପୁଅ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବାର ଠିକ୍ ଦିନକ ପୂର୍ବରୁ ସୋନିଆଙ୍କ ଏପରି ମନ୍ତବ୍ୟ ଜାତୀୟ ରାଜନୀତିକୁ ସରଗରମ କରିଛି।

ଦୀର୍ଘ ୨୦ ବର୍ଷ ଧରି ସକ୍ରିୟ ରାଜନୀତିରେ ରହିଛନ୍ତି ସୋନିଆ ଗାନ୍ଧି। ୧୯୯୮ ମସିହା ମାର୍ଚ୍ଚ ୧୪ ତାରିଖରୁ କଂଗ୍ରେସ ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ସୋନିଆ। ୧୯୯୧ ମସିହାରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯିବା ପରେ ସୋନିଆଙ୍କୁ କଂଗ୍ରେସର ଦାୟିତ୍ୱ ସମ୍ଭାଳିବାକୁ ଅନୁରୋଧ କରାଯାଇଥିଲା।

୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରର ଅଧ୍ୟକ୍ଷା ଥିଲେ ସୋନିଆ। ଏହାସହ କଂଗ୍ରେସର ୧୨୫ ବର୍ଷ ଇତିହାସରେ ସବୁଠାରୁ ଅଧିକ ସମୟ ଧରି ଅଧ୍ୟକ୍ଷା ପଦରେ ରହିଥିଲେ ସୋନିଆ।

ସୋନିଆ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ  କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଆସନ୍ତାକାଲି ରାହୁଲ ଗାନ୍ଧିଙ୍କୁ ବିଧିବଦ୍ଧ ଭାବେ ଅଧ୍ୟକ୍ଷ ପଦ ହସ୍ତାନ୍ତର କରିବେ ସୋନିଆ।