ଫୋନ୍‌ଠାରୁ ଛୋଟ ଏସି, ପିନ୍ଧି ସବୁଆଡ଼େ ଯାଇହେବ

ନୂଆଦିଲ୍ଲୀ; ଅସମ୍ଭବ ଗୁଳୁଗୁଳି ବା ଗରମ ହେଉଥିବା ବେଳେ ଆପଣଙ୍କ ମନକୁ ଏମିତି କେବେ ପ୍ରଶ୍ନ ଆସିନି: ସାଙ୍ଗରେ ଏସି ଧରିକି ବୁଲିଲେ କେମିତି ହୁଅନ୍ତା? ଅଜବ ଲାଗୁଥିଲେ ମଧ୍ୟ ଏହା ଏବେ ସମ୍ଭବ ହୋଇପାରିଛି। ଚାଇନାର ଏକ ଖବରକାଗଜରେ ପ୍ରକାଶ ପାଇଛି ଯେ ଜାପାନର ଲୋକପ୍ରିୟ କମ୍ପାନୀ ‘ସୋନି’ ଏଭଳି ପିନ୍ଧି ହେଉଥିବା କୁନି ଏସି ତିଆରି କରୁଛି।

ଏହି କୁନି ଏସି ଏକ ଛୋଟ ରିଅର ପ୍ୟାନେଲ ସାହାଯ୍ୟରେ ବାତାନୁକୂଳିତ ପରିବେଶ ତିଆରି କରିବ। ଆଉ କୁହାଯାଉଛି, ସାଇଜରେ ଏହା ମୋବାଇଲଠାରୁ ମଧ୍ୟ ସାନ। ଏକ ସ୍ୱତନ୍ତ୍ର ଅଣ୍ଡର ଶାର୍ଟ ସାହାଯ୍ୟରେ ଏହାକୁ ବ୍ୟବହାର କରାଯିବ। ଅଣ୍ଡରଶାର୍ଟଟି ମଧ୍ୟ ଡିଭାଇସ୍‌ ସହିତ ବିକ୍ରି ହେବ। ଏକ ସ୍ମାର୍ଟଫୋନ୍‌ ସାହାଯ୍ୟରେ ଏହାର ଟେମ୍ପରେଚର କମ୍‌ ବେଶୀ କରିହେବ। ଅନ୍ୟପକ୍ଷରେ ସ୍ୱୟଂଚାଳିତ ଭାବେ ମଧ୍ୟ ଏହା ଆପେ କମ୍‌ ବେଶୀ ହେବାରେ ବ୍ୟବସ୍ଥା ରହିଛି।

କାର୍‌ ଏସି ଏବଂ ୱାଇନ୍‌ କୁଲରରେ ବ୍ୟବହୃତ ଟେକ୍ନୋଲୋଜି ଏଥିରେ ପ୍ରୟୋଗ କରାଯାଇଛି। ୨ ଘଣ୍ଟା ଚାର୍ଜ କଲେ ଏହାକୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିହେଉଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୯,୨୦୦ ଟଙ୍କା ହେବ ବୋଲି କୁହାଯାଇଛି। ପ୍ରାଥମିକ ସ୍ତରରେ ଏହା କେବଳ ଜାପାନରେ ବିକ୍ରି ହେବ।