ମିସ୍‌ ୟୁନିଭର୍ସ ହେଲେ ଦକ୍ଷିଣ ଆଫ୍ରିକା ସୁନ୍ଦରୀ ଜୋଜିବିନ୍ ଟୁଞ୍ଜି

ନୂଆଦିଲ୍ଲୀ: ଚଳିତ ବର୍ଷର ମିସ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଦକ୍ଷିଣ ଆଫ୍ରିକା ସୁନ୍ଦରୀ ଜୋଜିବିନ୍ ଟୁଞ୍ଜି। ଦକ୍ଷିଣ ଆଫ୍ରିକାର ଏହି ୨୬ ବର୍ଷିୟ ସୁନ୍ଦରୀ ଟୁଞ୍ଜି ତାଙ୍କର ସୁଇମ୍‌ ସୁଟ୍‌, ଇଭିନିଙ୍ଗ ଗାଉନ ରାଉଣ୍ଡରେ ସମସ୍ତଙ୍କ ମନ ମୋହି ନେଇଥିଲେ। ସେତିକି ନୁହେଁ, ସାମାଜିକ ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇ ଜଜ୍‌ଙ୍କୁ ମଧ୍ୟ ପ୍ରଭାବିତ କରି ଦେଇଥିଲେ।

ଆମେରିକାର ଆଟଲାଣ୍ଟାଠାରେ ଆୟାଜିତ ଏକ ରଙ୍ଗାରଙ୍ଗ ସମାରୋହରେ ୯୦ଟି ଦେଶର ସୁନ୍ଦରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଅନେକ ରାଉଣ୍ଡ ପରେ ଆଫ୍ରିକୀୟ ସୁନ୍ଦରୀ ଶେଷରେ ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଜୋଜୋବିନ ଯେତେବେଳେ କ୍ରାଉନ୍‌ ପିନ୍ଧିଲେ, ସେତେବେଳେ ସେ ଗୋଲ୍‌ଡେନ୍ ରଙ୍ଗର ଏକ ଗାଉନ ପିନ୍ଧିଥିଲେ। ହେଲେ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ସେ ପାରମ୍ପରିକ ଦକ୍ଷିଣ ଆଫ୍ରକୀୟ ପୋଷାକରେ ରାମ୍ପ କରିଥିଲେ।

ପ୍ରତିଯୋଗିତାରେ ରନର୍ସ ଅପ୍‌ ହୋଇଥିଲେ ମିସ୍‌ ମାକ୍ସିକୋ ଏବଂ ମିସ୍‌ ପୁରେଟୋ ରିକୋ। ‘ଯଦି ତୁମେ ତୁମର ସୌନ୍ଦର୍ଯ୍ୟକୁ ଜୀବନର ଲକ୍ଷ୍ୟଦିଗରେ ଉପଯୋଗ କରି ନ ପାରିଲ ତେବେ ତାହା ଏକ ସୌନ୍ଦର୍ଯ୍ୟ ନ ଥିବା ଅଳଙ୍କାର ସହ ସମାନ’-ଏମିତି କହି ଜଜ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରନର୍ସ ଅପ୍‌ ମେକ୍ସିକୋ ସୁନ୍ଦରୀ ସୋଫିଆ ଆରାଗୋନ୍‌ । ସୁନ୍ଦରୀ ମାଡିସନ୍‌ ଆଣ୍ଡରସନ୍‌ ପୁରେଟୋ ରିକୋକୁ ରିପ୍ରେଜେଣ୍ଟ କରିଥିଲେ।

ଯେତେବେଳେ ଜୋଜିବିନ୍‌ଙ୍କ ନାମ ମିସ୍ ୟୁନିବର୍ସ ଭାବେ ଘୋଷଣା କରାଗଲା, ସେ ଖୁସିରେ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ମଧ୍ୟ ତାଳିରେ ତାଙ୍କୁ ସ୍ୱାଗତ କରିଥିଲେ। ସବୁଠାରୁ ବେଶି ଆକର୍ଷଣୀୟ ଥିଲା ପ୍ରତିଯୋଗିତାର ପ୍ରଶ୍ନ-ଉତ୍ତର ରାଉଣ୍ଡ। ଜଜ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଜଜ୍‌ଙ୍କ ହୃଦୟ ଜିତି ଯାଇଥିଲେ।

ସୁନ୍ଦରତାର ଅର୍ଥ କ’ଣ ? ଜଜ୍‌ଙ୍କର ଏଇ ପ୍ରଶ୍ନର ଉତ୍ତରରେ ଜୋଜିବିନ୍‌ କହିଥିଲେ- ମୁଁ ଯେଉଁ ଦେଶରେ ଏଇ ରଙ୍ଗ ନେଇ ଜନ୍ମ ହୋଇଛି, ସେଠାରେ ପାରମ୍ପରିକ ଦୃଷ୍ଟିକୋଣରୁ ମୋତେ ସୁନ୍ଦରୀ ବୋଲି କୁହାଯାଏନି। ମୁଁ ଚାହୁଁଛି, ମୁଁ ଏହି ସମ୍ମାନ ଜିତି ଯଦି ଦେଶକୁ ଫେରିବି ତେବେ ମୋ ଦେଶର ପିଲାମାନେ ମୋତେ ଦେଖି ଗର୍ବ କରିବେ। ସେମାନେ ମୋ ଭିତରେ ନିଜର ପ୍ରତିଛବି ଦେଖି ପାରିବେ।

ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ବର୍ତ୍ତିକା ସିଂ। ହେଲେ ଟପ୍‌ ୧୦ରେ ନିଜ ପାଇଁ ସ୍ଥାନ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ।