ଏହି ଘର କିଣିଲେ ଫ୍ରି’ରେ ମିଳିବେ ଘରଣୀ

ନୂଆଦିଲ୍ଲୀ: ନୂଆ ଘର କିଣିବାକୁ ଚାହୁଁଛନ୍ତି କି?  ଯଦି ଖୋଜୁଛନ୍ତି, ତା’ହେଲେ ଏହି ଖବରଟି ପଢ଼ିବା ଆପଣଙ୍କ ପାଇଁ ନିଶ୍ଚିତ ଲାଭଜନକ ହେବ। କାରଣ ଆମେ ଯେଉଁ ଘର କଥା କହିବାକୁ ଯାଉଛୁ ତାହାକୁ ବିକ୍ରି କରିବାକୁ ଏକ ବିଶେଷ ଅଫର ରହିଛି। ଅଫରଟି ବେଶ୍ ଲୋଭନୀୟ! ଏହି ଅଫର ସଂପର୍କରେ ଜାଣିଲେ ଆପଣ ସେଇ ଘର ଆଡ଼େ ଥରେ ନିଶ୍ଚିତ ମୁହାଁଇବାକୁ ମନ କରିବେ।

ଏ କଥା ପଢ଼ି ଆପଣଙ୍କୁ ସେଇ ଲୋଭନୀୟ ଅଫରଟି ବାବଦରେ ଶୁଣିବାକୁ ନିଶ୍ଚିତ ଇଚ୍ଛା ହେଉଥିବ। ତା’ହେଲେ ଶୁଣନ୍ତୁ। ଘଟଣାଟି ହେଉଛି ଇଣ୍ଡୋନେସିଆର । ଏଠି ଘର ବିକ୍ରି କରିବା ପାଇଁ ଏକ ଅଜବ ଅଫର ଦିଆଯାଇଛି। ଘରଟି ଏକ ମହଲା ବିଶିଷ୍ଟ ଯେଉଁଥିରେ ୨ଟି ବେଡରୁମ୍‌, ୨ଟି ବାଥରୁମ୍‌ ସହିତ ପାର୍କିଂ ପ୍ଲେସ୍‌ ଭଳି ସୁବିଧା ରହିଛି। ଏହାର ଦାମ୍‌ ରହିଛି ମାତ୍ର ୭୫,୦୦୦ ଆମେରିକୀୟ ଡଲାର। ଏହି ଘର କିଣିବାକୁ ଇଚ୍ଛୁକ ଲୋକେ ଘର କିଣିବା ପରେ ଘର ମାଲିକିଆଣୀଙ୍କୁ ବିବାହ କରିବା ଲାଗି ପ୍ରସ୍ତାବ ଦେଇପାରିବେ ଏବଂ ତାଙ୍କୁ ବାହା ମଧ୍ୟ ହୋଇପାରିବେ। ଏମିତି ଏକ ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଘଟଣାଟି ଏବେ ଖାଲି ଇଣ୍ଡୋନେସିଆରେ ନୁହେଁ, ଚାରିଆଡେ ହଇଚଇ କରିଛି। ଅବଶ୍ୟ ବିଜ୍ଞାପନଟି ୨୦୧୫ ମସିହାର। କିନ୍ତୁ ଆଜି ବି ଏହି ରୋଚକ ଘରକିଣା ବିଜ୍ଞାପନ ଚର୍ଚ୍ଚାର ଶିରୋନାମା ପାଲଟିଛି। ତା ହେଲେ କ’ଣ କହୁଛନ୍ତି ? ଆପଣ କ’ଣ ସେଇ ଭାଗ୍ୟଶାଳୀ ବ୍ୟକ୍ତି ହେବାକୁ ଚାହାଁନ୍ତି କି?