ବାଚସ୍ପତିଙ୍କ ଚଷମାର ଦାମ ୫୦ ହଜାର ଟଙ୍କା : ଆରଟିଆଇରେ ଆସିଲା ତଥ୍ୟ   

ନୂଆଦିଲ୍ଲୀ: ଚଷମା ଦାମ୍ ୫୦ ହଜାର ଟଙ୍କା। ଆଉ ତାହା ପୁଣି ପଇଠ ହୋଇଛି ରାଜକୋଷରୁ। ଏହି ଦାମୀ ଚଷମା କିଣିଛନ୍ତି କେରଳ ବାଚସ୍ପତି ଶ୍ରୀରାମକିଷ୍ଣାନ୍ । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ ଶ୍ରୀରାମକିଷ୍ଣାନ୍ ୪୯ ହଜାର ୯ ଶହ ଟଙ୍କା ମୂଲ୍ୟର ଏକ  ଚଷମା କିଣିଛନ୍ତି। ଆଉ ଏହାର ବିଲ୍ ସରକାରୀ ତହବିଲରୁ ପଇଠ କରାଯାଇଛି । ଏହାକୁ ନେଇ ବିରୋଧୀମାନେ ଶାସକ ସିପିଆଇ ସରକାରକୁ ଘେରିଛନ୍ତି। ଏ ନେଇ ସଫେଇ ଦେଇଛନ୍ତି ବାଚସ୍ପତି। ସେ କହିଛନ୍ତି, ତାଙ୍କ ଆଖି ଖରାପ ଥିବା ଯୋଗୁଁ ଏହି ଚଷମା କିଣିଛନ୍ତି।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଏହି ଚଷମା କିଣିଥିବା କହିଛନ୍ତି। ଶ୍ରୀରାମଙ୍କ ବ୍ୟୟବହୁଳ ଲାଇଫ୍ ଷ୍ଟାଇଲ୍‌କୁ ନେଇ କେରଳର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ପରେ ତାଙ୍କ ଚଷମାକୁ ନେଇ ଆଟିଆଇରେ ତଥ୍ୟ ମାଗିଥିଲେ  କୋଚିର ଆଇନଜୀବୀ ଡିବି ବିନୁ । ସେଥିରୁ ଜଣାପଡ଼ିଛି ଯେ, ତାଙ୍କ ଚଷମାର ଦାମ୍ ପ୍ରାୟ ୫୦ ହଜାର ଟଙ୍କା ।  ଏହା ସହ ବାଚସ୍ପତି ୨୦୧୬ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୫ ହଜାର ଟଙ୍କା ନିଜର ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇଁ ଖର୍ଚ୍ଚ କରିଛନ୍ତି ।