ଓ୍ୱାଇଏସଆର କଂଗ୍ରେସକୁ ଲୋକସଭା ଉପ ବାଚସ୍ପତି ପଦବୀ ପ୍ରସ୍ତାବ!

ନୂଆଦିଲ୍ଲୀ: ଲୋକସଭାରେ ଉପ ବାଚସ୍ପତି ପଦବୀ ପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଉପରେ ନଜର  ପକାଇଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ବିଜେପି ସାଂସଦ ଜିଭିଏଲ ନରସିମହା ରାଓ ଭେଟିବା ପରେ ଏହି ଚର୍ଚ୍ଚା ହେଉଛି। ତେବେ ଏଭଳି କିଛି ପ୍ରସ୍ତାବ ଆଲୋଚନା ହୋଇନଥିବା ବିଜେପି ନେତା ଜିଭିଏଲ୍ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଲୋକସଭାରେ କିଏ ଉପବାଚସ୍ପତି ହେବ, ତାହା ବିଜେପି ସ୍ଥିର କରିବ। ଗୃହରେ ସବୁଠାରୁ ବଡ଼ ଦଳ ଭାବେ ଅଛନ୍ତି କଂଗ୍ରେସ ଓ ଡିଏମକେ। ଏହି ଦୁଇ ଦଳ ଉପ ବାଚସ୍ପତି ପଦବୀ ନେବା ପାଇଁ ମନା କରିଛନ୍ତି। ତେଣୁ ତୃତୀୟ ବୃହତ ଦଳ ଭାବରେ ଓ୍ୱାଇଏସଆର କଂଗ୍ରେସକୁ ଏହି ପ୍ରସ୍ତାବ ଦିଆଯାଇପାରେ।  ଓ୍ୱାଇଏସଆର କଂଗ୍ରେସ ଓ ତୃଣମୂଳ ୨୨ଟି ଲେଖାଏଁ ସିଟ୍ ଜିତିଛନ୍ତି। ହେଲେ ବିଜେପି ଓ ଟିଏମସି ପରସ୍ପରର ଘୋର ବିରୋଧୀ ହୋଇଥିବାରୁ ଟିଏମସିକୁ ଏହି ପଦବୀ ମିଳିବ ନାହିଁ।

ଆନ୍ଧ୍ରପ୍ରଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ ଓ୍ୱାଇଏସଆର କଂଗ୍ରେସ ମୁସଲିମ୍ ଓ ଖ୍ରୀଷ୍ଚିଆନ ସମ୍ପ୍ରଦାୟର ଭୋଟ ହାତେଇବାରେ ସଫଳ ହୋଇଛନ୍ତି। ତେଣୁ ଓ୍ୱାଇଏସଆର କଂଗ୍ରେସ ଦଳର ନେତାକୁ ଲୋକସଭାରେ ଉପ ବାଚସ୍ପତି କରାଇ ବିଜେପି ମୁସଲିମ୍ ଓ ଖ୍ରୀଷ୍ଚିଆନ ସମ୍ପ୍ରଦାୟଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ୧୭ତମ ଲୋକସଭାରେ ବିଜେପିର ୩୦୩ ସାଂସଦ ଥିବା ବେଳେ କଂଗ୍ରେସ ୫୨, ଡିଏମକେ ୨୩ ଏବଂ ଓ୍ୱାଇଏସଆର କଂଗ୍ରେସ ୨୨, ତୃଣମୂଳ କଂଗ୍ରେସ ୨୨, ଶିବସେନା ୧୮, ଜେଡିୟୁ ୧୬, ବିଜେଡି ୧୨ ଏବଂ ବିଏସପି ୧୦ ଆସନ ଓ ଅନ୍ୟାନ୍ୟ ଦଳ ୧୦ରୁ କମ୍ ଆସନରେ ବିଜୟୀ ହୋଇଛନ୍ତି।

ପ୍ରଥମେ ବିଜେଡିକୁ ବିଜେପି ଉପ ବାଚସ୍ପତି ପଦବୀ ପାଇଁ ପ୍ରସ୍ତାବ ଦେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏନଡିଏରେ ସାମିଲ ଥିବା ଶିବସେନା ଏହାକୁ ବିରୋଧ କରିବାରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସୂଚନାଯୋଗ୍ୟ ଯେ ମୋଦିଙ୍କ ପ୍ରଥମ ସରକାରରେ ମଧ୍ୟ ଉପବାଚସ୍ପତି ପଦବୀ ଏନଡିଏରେ ସାମିଲ ନଥିବା ତାମିଲନାଡୁର ଏଆଇଡିଏମକେ ଦଳକୁ ଦିଆଯାଇଥିଲା। ହେଲେ ଚଳିତ ଥର ଏହି ଦଳ ଏନଡିଏରେ ଅଛି ଏବଂ ଦଳର ମାତ୍ର ଜଣେ ସାଂସଦ ନିର୍ବାଚିତ ହୋଇ ଆସିଛନ୍ତି।