ଗୋତବାୟା ରାଜପାକ୍ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାର ଯୁଦ୍ଧକାଳୀନ ପ୍ରତିରକ୍ଷା ମୁଖ୍ୟ ଗୋତବାୟା ରାଜପକ୍ସେ ଏହି ଦେଶର ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ଶ୍ରୀଲଙ୍କାର ଅନ୍ୟତମ ଶକ୍ତିଶାଳୀ ରାଜନୀତିକ ପରିବାରର ସଦସ୍ୟ ଏବଂ ଶ୍ରୀଲଙ୍କା ରାଜନୀତିରେ ଦବ୍‌ଦବା ରଖିଆସିଥିବା ସିଂହଳୀ-ବୌଦ୍ଧ ସମ୍ପ୍ରଦାୟର।

ଶନିବାର ଅନୁଷ୍ଠିତ ନିର୍ବାଚନରେ ଏସ୍‌ଏଲ୍‌ପିପି ପ୍ରାର୍ଥୀ ରାଜପାକ୍ସେଙ୍କର ସହଜ ବିଜୟ ହୋଇଛି। ଏହି ନିର୍ବାଚନ ପୂର୍ବରୁ ଇଷ୍ଟର ରବିବାର ଆତଙ୍କବାଦୀ ଆକ୍ରମଣ ଦେଶରେ ଅସ୍ଥିରତା ସୃଷ୍ଟି କରିଥିଲା। ଫଳରେ ଦ୍ୱୀପଦେଶ ଶ୍ରୀଲଙ୍କା ଗୃହଯୁଦ୍ଧରୁ ମୁକ୍ତ ହେବା ପରେ ମଧ୍ୟ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲା। ଏପରିକି ଏହି ଦେଶରରେ ରାଜନୀତିକ ଅସ୍ଥିରତା ମଧ୍ୟ ଅନ୍ୟ ଏକ ସଙ୍କଟ ଭାବେ ଗତ ବର୍ଷ ଉଭା ହୋଇଥିଲା।

ଭୋଟ୍ ଗଣତି ଆରମ୍ଭ ହେବାର ଅଧାରେ ହିଁ ତାଙ୍କ ପ୍ରତିପକ୍ଷ ୟୁଏନ୍‌ପି ପ୍ରାର୍ଥୀ ସଜିତ ପ୍ରେମାଦାସା ମଧ୍ୟ ପରାଜୟ ମାନି ଯାଇଥିଲେ ଏବଂ ରାଜପାକ୍ସେଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିର୍ବାଚନ କମିଶନ କହିବା ଅନୁଯାୟୀ, ରାଜପାକ୍ସେ ୫୨.୨୫% ଭୋଟ୍‌ ପାଇଥିଲେ ଏବଂ ପ୍ରେମାଦାସା ୪୧.୯୯% ଭୋଟ୍‌ ପାଇଥିଲେ। ରାଜପାକ୍ସେ ସୋମବାର ଶପଥ ନେବା ସ୍ଥିର କରାଯାଇଛି।

ରାଜପାକ୍ସେ ବିଜୟକୁ ନେଇ କହିଛନ୍ତି, “ମୁଁ ରାଷ୍ଟ୍ରପତି ହେବାର ସୁଯୋଗ ପାଇ କୃତଜ୍ଞ। ମୁଁ କେବଳ ଭୋଟ୍‌ ଦେଇଥିବା ଲୋକଙ୍କର ନୁହେଁ ସମଗ୍ର ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ କୃତଜ୍ଞ। ଆପଣମାନେ ମୋ ଉପରେ କରିଥିବା ବିଶ୍ୱାସ ମଉ ପାଇ ପ୍ରେରଣାଦାୟକ। ଆପଣମାନଙ୍କ ରାଷ୍ଟ୍ରପତି ହେବା ମୋ ପାଇଁ ସମ୍ମାନର କଥା।”