ଶ୍ରୀଲଙ୍କା ସଂସଦ ଭାଙ୍ଗିଦେଲେ ରାଷ୍ଟ୍ରପତି, ଜାନୁଆରୀ ୫ରେ ଭୋଟ୍

କଲମ୍ବୋ: ଶ୍ରୀଲଙ୍କାରେ ଧାର୍ଯ୍ୟ ଦିନର ୨ ବର୍ଷ ପୂର୍ବରୁ ପୁଣିଥରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ପଥ ପରିଷ୍କାର କରିଛନ୍ତି। ସେ ଶ୍ରୀଲଙ୍କାର ୨୨୫ ସଦସ୍ୟ ବିଶିଷ୍ଟ ସଂସଦଙ୍କୁ ଭଙ୍ଗ କରିବା ସହ ଆସନ୍ତାବର୍ଷ ଜାନୁଆରୀ ୫ରେ ସମଗ୍ର ଦେଶରେ ଭୋଟ୍‌ ହେବ ବୋଲି ଘୋଷଣା କରିଛନ୍ତି।

ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତାକୁ ଆହୁରି ବଢ଼ାଇ ଦେଇଛି।
ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂହେଙ୍କୁ ବହିଷ୍କାର କରିଥିଲେ। ତାଙ୍କ ସ୍ଥାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।

ତେବେ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ଦେଶରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଥିଲା। ଅନ୍ତର୍ଜାତୀୟ ମହଲରେ ମଧ୍ୟ ରାଷ୍ଟ୍ରପତି ସିରସେନାଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଶେଷରେ ସିରସେନା ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଭୋଟ୍‌ ହେବ ବୋଲି କହିଥିଲେ। ତେବେ ଭୋଟ୍‌ ପୂର୍ବରୁ ରାଜପାକ୍ଷେଙ୍କ ସପକ୍ଷରେ ଆବଶ୍ୟକ ଭୋଟ୍‌ ମିଳିବ ନାହିଁ ବୋଲି ସିରସେନା ହୃଦୟଙ୍ଗମ କରିଥିଲେ।

ଫଳରେ ସେ କହିଥିଲେ, ଆସନ୍ତା ଜାନୁଆରୀ ୧୭ରେ ଶ୍ରୀଲଙ୍କାର ନୂଆ ସଂସଦ ବସିବ। ଏଥିପାଇଁ ଜାନୁଆରୀ ୫ରେ ସମଗ୍ର ଦେଶରେ ଭୋଟ୍‌ ହେବ। ଏବେ ରାଷ୍ଟ୍ରପତିଙ୍କ ଏଭଳି ଘୋଷଣାକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ନୂଆ ରାଜନୀତିକ ବିବାଦକୁ ଜନ୍ମ ଦେଇଛି।

୨୨୫ ଆସନ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ତେବେ ରାଜପାକ୍ଷେ ଓ ସିରସେନା ମେଣ୍ଟ କେବଳ ୧୦୪ ଜଣ ସାଂସଦଙ୍କ ସମର୍ଥନ ପାଇପାରିଥିଲେ। ଏହାକୁ ଦୃଷ୍ଟିରେ ରଖି ସିରସେନା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।