ରାଜପାକ୍ସେଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପାରିତ

କଲୋମ୍ବୋ:ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନାଙ୍କ ଦ୍ୱାରା ବିବାଦୀୟଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ମହିନ୍ଦ୍ରା ରାଜପାକ୍ସେଙ୍କ ବିରୋଧରେ ଶ୍ରୀଲଙ୍କା ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବହୁମତରେ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ରାଜପାକ୍ସେ ବର୍ତ୍ତମାନର ସଂସଦକୁ ବାତିଲ କରିବାର ଗୋଟିଏ ଦିନ ପରେ ସଂସଦରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି କାରୁ ଜୟସୁରିଆଙ୍କ ତତ୍ତ୍ୱାବଧାନରେ ଏଥିପାଇଁ ଭୋଟଗ୍ରହଣ ହୋଇଥିଲା ଏବଂ ୨୨୫ ଜଣ ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହି ପ୍ରସ୍ତାବ ପୂର୍ବତନ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତ ରାଜପାକ୍ସେଙ୍କ ବିରୋଧରେ ଯାଇଥିବା ଜଣାଯାଇଛି।

କିନ୍ତୁ ଏଥିରେ ବିକ୍ରମସିଂଘେଙ୍କର ଯେ ବିଜୟ ହୋଇଗଲା ତାହା ଭାବିବା ଭୁଲ ହେବ। ଯଦିଓ ସଂଖ୍ୟା ଦୃଷ୍ଟିରୁ ତାଙ୍କର ସମର୍ଥକ ସାଂସଦଙ୍କ ସଂଖ୍ୟା ଯଥେଷ୍ଟ, ରାଷ୍ଟ୍ରପତି ସିରିସେନାଙ୍କର ରାଜପାକ୍ସେଙ୍କ ପ୍ରତି ରହିଥିବା ଅଜସ୍ର ସମର୍ଥନ ତାଙ୍କ ପାଇଁ କଣ୍ଟା ସାଜିବ। ସିରିସେନା ହିଁ ଆଗାମୀ ପ୍ରଧାନମନ୍ତ୍ରୀ ବାଛିବାପାଇଁ କ୍ଷମତାସମ୍ପନ୍ନ ବ୍ୟକ୍ତି। ଭୋଟ୍‌ ବାବଦରେ ବାଚସ୍ପତି ଘୋଷଣା କରିବା କ୍ଷଣି ରାଜପାକ୍ସେ ଏବଂ ତାଙ୍କ ସାଂସଦ ପୁତ୍ର ନମାଲ୍‌ ଗୃହତ୍ୟାଗ କରିଥିଲେ। ଏହାପରେ ରାଜପାକ୍ସେଙ୍କ ସମର୍ଥକମାନେ ହଟ୍ଟଗୋଳ କରିଥିଲେ ମଧ୍ୟ ଜୟସୁରିଆ ଭୋଟିଂ ଜାରି ରଖିଥିଲେ।

ଶେଷରେ ବାଚସ୍ପତି କାରୁ ଜୟସୁରିଆ ଘୋଷଣା କରିଥିଲେ,“ଅନାସ୍ଥା ପ୍ରସ୍ତାବକୁ ବହୁମତ ମିଳିଛି। ମୁଁ ଘୋଷଣା କରୁଛି ଯେ ଏହି ସରକାର ଉପରେ ଗୃହର ଆସ୍ଥା ନାହିଁ।”