ଆଜି ଆସିବନି ଶ୍ରୀଦେବୀଙ୍କ ମରଶରୀର, ଏଇଠି ଅପେକ୍ଷା କରିଥିଲା ମୃତ୍ୟୁ

ମୁମ୍ବାଇ: ଅଭିନେତ୍ରୀ ଶ୍ରଦେବୀଙ୍କ ମୃତ ଶରୀର ଏପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇ ନାହିଁ। ପୋଲିସ୍‌ ଓ ଡାକ୍ତରୀ ଯାଞ୍ଚ କାର୍ଯ୍ୟ ଶେଷ ହୋଇ ନଥିବାରୁ ଶବ ଦିଆଯାଇ ନଥିବା ଜଣା ପଡ଼ିଛି। ଶ୍ରୀଦେବୀଙ୍କ ମୃତ ଶରୀରକୁ ମୁମ୍ବାଇ ଆଣିବା ପାଇଁ ଅନିଲ୍‌ ଅମ୍ବାନୀଙ୍କ ପ୍ରାଇଭେଟ୍‌ ଜେଟ୍‌ ଦୁବାଇରେ ପହଞ୍ଚି ଥିଲେ ମଧ୍ୟ ଆଜି ତାଙ୍କ ମର ଶରୀର ଭାରତ ଆସିପାରିବ ନାହିଁ ବୋଲି ଜଣାପଡ଼ିଛି।।

ଦୁବାଇର ସ୍ଥାନୀୟ ମିଡିଆ ‘ହାଉସ ଖଲିଜ୍‌’ ଅନୁସାରେ ଫରେନ୍ସିକ୍ ଯାଞ୍ଚ ସରିବା ପରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବ। କିନ୍ତୁ ଆଜି ରବିବାର ହୋଇଥିବାରୁ ଦୁବାଇ ସମୟ ଅନୁସାରେ ଅଫିସ ସମୟ ଶେଷ ହୋଇଯାଇଛି। ଡାକ୍ତରଖାନାରୁ ମୁଖ୍ୟ ଡାକ୍ତର ଯାଇସାରିଛନ୍ତି। ପୋଷ୍ଟମର୍ଟମ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ। ତେଣୁ  ଡାକ୍ତରଙ୍କ କହିବା ଅନୁସାରେ ଶ୍ରୀଦେବୀଙ୍କ ମରଶରୀର ପରିବାରକୁ ରବିବାର ବିଳମ୍ବିତ ରାତିରେ ହସ୍ତାନ୍ତର କରାଯିବ। ଏହାପରେ ସୋମ୍‌ବାର ପାର୍ଥିବ ଶରୀରକୁ ଭାରତ ଅଣାଯିବ ବୋଲି ଜଣା ପଡ଼ିଛି।

ଦୁବାଇର ରାସ୍‌ ଅଲ୍ ଖୈମାହ ସହରରେ ଥିବା ଭବ୍ୟ ୱଲଡର୍ଫ ଅଷ୍ଟୋରିଆ ହୋଟେଲ୍‌ ଆଣ୍ଡ ରିସର୍ଟସରେ ଭଣଜା ମୋହିତ ମାରୱାହଙ୍କ ବିବାହରେ ଯୋଗ ଦେଇଥିଲେ ଶ୍ରୀଦେବୀ। ହୋଟେଲ୍‌ ପାରମ୍ପାରିକ ସଂସ୍କୃତି ସମ୍ପଣ୍ଣ ଓ ସମୂଦ୍ର କୂଳରେ ହୋଇଥିବାରୁ ଏହା ଲୋକମାନଙ୍କୁ ଆକୃଷ୍ଟ କରେ।