ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ୍ ଅଞ୍ଚଳରେ ଆଜି ଏକ ଏନ୍‌କାଉଣ୍ଟରରେ ଲସ୍କର-ଏ-ତୋଇବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି।

ହାଜିନ୍ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ସେହି ଆଧାରରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏନ୍‌କାଉଣ୍ଟରରେ ଜଣେ ପୋଲିସ୍ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଶ୍ରୀନଗରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏନ୍‌କାଉଣ୍ଟର ବେଳେ ସ୍ଥାନୀୟ କିଛି ଦୁର୍ବୃତ୍ତ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫୋପାଡ଼ି ଥିଲେ ବୋଲି ଜଣେ ପୋଲିସ୍ ଅଧିକାରୀ କହିଛନ୍ତି।