ଲଜ୍ଜା:ବାପା ସାଜିଲା ବଳାତ୍କାରୀ, ଗର୍ଭବତୀ ହେଲା ୧୦ ବର୍ଷର ଝିଅ

ରୋହଟକ୍‌: ସଭ୍ୟ ସମାଜ ପାଇଁ ଲଜ୍ଜା।  ମାନବିକତାକୁ ଦୋହଲେଇଦେଲା ଭଳି ଘଟଣା।  ନିଜର ଯୌନ ଚରିତାର୍ଥ ପାଇଁ ଜଣେ ବାପା କେତେ ତଳକୁ ଖସିଯାଇପାରେ ତା’ର ଏକ ଦୃଷ୍ଟାନ୍ତ ହରିୟାନାର ରୋହଟକ୍‌ରେ ଘଟିଛି। ନିଜ ଦେହର ଭୋକ ମେଣ୍ଟାଇବାକୁ ଯାଇ ଜଣେ ସାବତ ବାପା ତା’ର ୧୦ ବର୍ଷ ଝିଅକୁ ବଳାତ୍କାର  କରିଥିବା ଅଭିଯୋଗ ହୋଇଛି।

ତେବେ ଘଟଣା ସାମ୍ନାକୁ ଆସିବା ପରେ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ହରିୟାନାର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସରେ(ପିଜିଆଇଏମଏସ)  ଝିଅର ଗର୍ଭପାତ କରାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହରେ ଝିଅଟିର ଦେହ ଅତି ଗୁରୁତର ହେବାରୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଝିଅ ଗର୍ଭବତୀ ଥିବା ଜଣାପଡ଼ିଥିଲା। ସେଠାରେ ଝିଅଟି ଡାକ୍ତରଙ୍କୁ ସବୁ କଥା କହିଥିଲା।  ତା’ର ମା’ ଜଣେ ଦାଦନ ଶ୍ରମିକ ହୋଇଥିବାରୁ ସେ ଅନେକ ସମୟରେ ଘରେ ରୁହେନି।

ଏହି ସୁଯୋଗରେ ସାବତ ବାପା ଥରେ ନୁହେଁ ଅନେକଥର ବଳାତ୍କାର କରିଥିବା କହିଥିଲେ।  ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ବଡ଼ଭାଇ ମରିଯିବା ପରେ ତାଙ୍କ ସ୍ତ୍ରୀକୁ ସାନଭାଇ ବିବାହ କରିଥିଲେ। ସେହି ସାନଭାଇ ଉକ୍ତ ଝିଅର ସାବତ ବାପା ହୋଇ ତାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏବେ ଏହି ଘଟଣାର ନୂଆ ମୋଡ଼ ଆସିଛି। ଗିରଫ ହୋଇଥିବା ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ମହିଳା ଜଣକ ଦାବି କରିଛନ୍ତି।  ସ୍ୱାମୀଙ୍କୁ ଗିରଫ ପରେ ତାଙ୍କ ପରିବାର ଚଳିବାରେ ଅସୁବିଧା ହେଉଥିବା  ସେ କହିଛନ୍ତି।

Courtesy-hindustantimes