ବିଶ୍ୱର ସବୁଠୁ ବଡ଼ ବୈଜ୍ଞାନିକଙ୍କ ଚେତାବନୀ- ବଞ୍ଚିବାକୁ ଚାହୁଁଥିଲେ ୧୦୦ ବର୍ଷ ମଧ୍ୟରେ ପୃଥିବୀ ଛାଡ଼ୁ ମଣିଷ

ନ୍ୟୁୟର୍କ: ୧୦୦ ବର୍ଷ ମଧ୍ୟରେ ମଣିଷ ପୃଥିବୀ ଛାଡ଼ୁ। ପୃଥିବୀ ଛାଡ଼ି ମଣିଷ ଅଲଗା ଗ୍ରହକୁ ଚାଲି ଯାଉ। ନିଜକୁ ବଞ୍ଚାଇ ରଖିବାକୁ ସମସ୍ତ ମଣିଷଙ୍କୁ ଏଭଳି କରିବାକୁ ପଡ଼ିବ। ଏଭଳି ଚେତାବନୀ ଦେଇଛନ୍ତି ବିଶ୍ୱର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫନ୍ ହକିଙ୍ଗ। ଜଳବାୟୁ ପରିବର୍ତ୍ତନ ଓ ବର୍ଦ୍ଧିତ ଜନସଂଖ୍ୟା ଓ ଉଲ୍‌କା ପିଣ୍ଡ ମଧ୍ୟରେ ହେଉଥିବା ଧକ୍କାରୁ ଉତ୍ପନ୍ନ ସ୍ଥିତିରୁ ବଞ୍ଚିବା ପାଇଁ ମଣିଷକୁ ଏଭଳି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବିବିସିର ଡକ୍ୟୁମେଣ୍ଟ୍ରି ‘ଏକ୍ସପେଡିଶନ୍‌ ନ୍ୟୁ ଆର୍ଥ’ରେ ଷ୍ଟିଫେନ୍ ହକିଙ୍ଗ ଓ ତାଙ୍କର ଛାତ୍ର କ୍ରିଷ୍ଟୋଫ ଗଲଫର୍ଡ ପୃଥିବୀ ବାହାରେ ଅନ୍ୟ ଗ୍ରହରେ ମାନବ ଜାତି ପାଇଁ ଜୀବନ ସନ୍ଧାନ କରୁଥିବା ନଜର ଆସିବେ। ଏହି ଡକ୍ୟୁମେଣ୍ଟ୍ରିରେ ହକିଙ୍ଗ ଦାବି କରିଛନ୍ତି ଯେ ମାନବ ଜାତି ଯଦି ବଞ୍ଚି ରହିବାକୁ ଚାହୁଁଛି ତା’ହେଲେ ଅନ୍ୟ ସ୍ଥାନରେ ଜୀବନ ସତ୍ତାକୁ ଅନୁସନ୍ଧାନ କରିବାକୁ ପଡ଼ିବ।

ଗତ ମାସରେ ହକିଙ୍ଗ କହିଥିଲେ ବୈଷୟିକ ବିକାଶ ସହିତ ମଣିଷର ଆକ୍ରମଣ ପ୍ରବୃତ୍ତି ଅଧିକ ଖତରନାକ ହୋଇଯାଇଛି। ଏହି ପ୍ରବୃତ୍ତି ପରମାଣୁ ଅବା ଜୈବିକ ଯୁଦ୍ଧ ଜରିଆରେ ଆମ ସମସ୍ତଙ୍କର ବିନାଶ କରି ଦେବ।

୭୫ ବର୍ଷୀୟ ଷ୍ଟିଫେନ୍ ହକିଙ୍ଗ ମୋଟର ନ୍ୟୁରୋନ୍ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ଶରୀର ପୂରା ଅକ୍ଷମ ହୋଇଯାଇଛି।  ତେବେ ଇଣ୍ଟେଲ୍ ଦ୍ୱାରା ପ୍ରସ୍ତୁତ ଏକ ବିଶେଷ ମେସିନ୍ ଜରିଆରେ ସେ ନିଜର ଆବିଷ୍କାର ଓ ମତ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି।