ମୃତ ପେହଲୁ ଖାନ୍‌ ନାଁରେ ଚାର୍ଜଶିଟ୍‌, ଲାଗିଲା ଗାଈ ଚୋରାଚାଲାଣ ମାମଲା

ନୂଆଦିଲ୍ଲୀ: ଦୁଇବର୍ଷ ତଳେ ଲୋକଙ୍କ ମାଡ଼ରେ ନିହତ ହୋଇଥିବା ପେହଲୁ ଖାନ୍‌ଙ୍କ ନାଁରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଛି ବେଆଇନ ଗୋଚାଲାଣ ମାମଲା। ୨୦୧୭ ମସିହାରେ ପେହଲୁ ‘ଗୋ ରକ୍ଷକ’ଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଥିଲା। କିନ୍ତୁ ପେହଲୁ ଖାନ୍‌ ଏବଂ ତାଙ୍କ ଦୁଇ ପୁଅ ନାମରେ ପୁଲିସ୍‌ ଏବେ ବେଆଇନ ଗୋଚାଲାଣ ମାମଲା ରୁଜୁ କରିଛି।

ପୁଲିସ୍‌ ଚାର୍ଜଶିଟ୍‌ରେ ପେହଲୁ ଖାନ୍‌ର ପୁଅ ଇର୍ସାଦ୍‌ ଏବଂ ଆରିଫ୍‌ଙ୍କ ନାମରେ ଗୋସୁରକ୍ଷା ସମ୍ବନ୍ଧୀୟ ଆଇନ (ରାଜସ୍ଥାନ ବୋଭାଇନ୍‌ ଆନିମଲ)ର ଧାରା ୫,୮ ଏବଂ୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ମୃତ ପେହଲୁ ଖାନ୍‌ଙ୍କ ନାମରେ ଏହି ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ରାଜସ୍ଥାନରେ ଅଶୋକ ଗେହଲଟ୍‌ଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଶପଥ ନେବା ୧୩ ଦିନ ପରେ ଅର୍ଥାତ ଡିସେମ୍ବର ୩୦ରେ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଥିବା ଜଣାପଡ଼ିଛି।

୧୯୯୫ ମସିହାରେ ପ୍ରଣୟନ ହୋଇଥିବା ଏହି ଆଇନର ଧାରା ୫ ଅନୁଯାୟୀ, ଗାଈ ବା ବଳଦ ଜାତୀୟ ପ୍ରାଣୀଙ୍କୁ ସ୍ଲଟର ବା ମାରିଦେବା ଉଦ୍ଦେଶ୍ୟରେ ଚାଲାଣ କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ ଧାରା ୬ ଅନୁଯାୟୀ ବେଆଇନ ଗୋଚାଲାଣ କରାଯାଇ ପାରିବ ନାହିଁ ଏବଂ ଏଥିପାଇଁ ସମାନ ଦଣ୍ଡବିଧାନ ହୋଇପାରିବ। ଧାରା ୮ରେ ଦଣ୍ଡବିଧାନ ବାବଦରେ କୁହାଯାଇଥିବାବେଳେ ଧାରା ୯ ଗାଈ ବା ବଳଦ ଜାତୀୟ ପ୍ରାଣୀଙ୍କୁ ଆଘାତ ପହଞ୍ଚାଇବା କ୍ଷେତ୍ରରେ ଲାଗୁ ହୋଇଥାଏ।

୫୫ ବର୍ଷ ବୟସ୍କ ପେହଲୁ ଖାନ୍‌ଙ୍କୁ ଦିଲ୍ଲୀ-ଅଲ୍‌ୱାର ରାସ୍ତାରେ ଆକ୍ରମଣ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ସେ ବେଆଇନ ଭାବେ ଗୋଚାଲାଣ କରୁଥିଲେ। ଲୋକଙ୍କ ମାଡ଼ରେ ଗୁରୁତର ଆହତ ପେହଲୁଙ୍କ ୨ ଦିନ ପରେ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ଘଟଣା କ୍ୟାମେରାରେ କଏଦ୍‌ ହୋଇଥିଲା ଏବଂ ଏହା ବିରୋଧରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଓ ଉଦ୍ବେଗ ପ୍ରକାଶ ପାଇଥିଲା

ଅନ୍ୟପକ୍ଷରେ ରାଜସ୍ଥାନର ବିଜେପି ବିଧାୟକ ଜ୍ଞାନଦେବ ଆହୁଜା କହିଛନ୍ତି, ପେହଲୁ ଖାନ୍‌, ତାଙ୍କ ଭାଇ ଏବଂ ୨ ପୁଅ ଅଭ୍ୟାସଗତ ଅପରାଧୀ। ସେମାନେ ଲଗାତାର ଏଭଳି ଗୋଚାଲାଣ ଅପରାଧରେ ଲିପ୍ତ ରହିଥିଲେ। ସେହିପରି ପେହଲୁ ଖାନଙ୍କୁ ହତ୍ୟା ମାମଲାରେ ଗୋରକ୍ଷକ ଏବଂ ବିଶ୍ୱ ହିନ୍ଦୁ ପରିଷଦ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।