ଶିଶୁକନ୍ୟାକୁ ମା’ ଫୋପାଡ଼ିଦେଇଥିଲା, ଡ୍ରେନ୍‌ରୁ ଉଦ୍ଧାର କଲେ କୁକୁର

ଚଣ୍ଡିଗଡ଼: ଲିଙ୍ଗଗତ ଅନୁପାତ ଉତ୍କଟ ସ୍ଥିତିରେ ଥିବା ହରିଆଣାରୁ ଆସିଛି ଏକ ଅଭୁତପୂର୍ବ ଖବର। ଏକ ସଦ୍ୟଜାତ ଶିଶୁକନ୍ୟାକୁ ତା’ର ମା ପଲିଥିନ୍‌ରେ ଗୁଡ଼ାଇ ଡ୍ରେନ୍‌ରେ ପକାଇଦେଇଥିଲା। କିନ୍ତୁ ଏହି କନ୍ୟାକୁ କିଛି କୁକୁର ଡ୍ରେନ୍‌ ଭିତରୁ ଉଦ୍ଧାର କରିବା ସହ ଜୋରରେ ଭୁକିବା ଆରମ୍ଭ କରିଥିଲେ। ଏହାଫଳରେ ଆଖପାଖ ଦେଇ ଯାଉଥିବା ଲୋକ ଏ ବିଷୟରେ ଜାଣିପାରି ପୁଲିସ୍‌କୁ ଖବର ଦେଇଥିଲେ।

ଏ ପୂରା ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ୁଛି ଜଣେ ମହିଳା ଏହି ସଦ୍ୟଜାତ ଶିଶୁକନ୍ୟାକୁ ଫୋପାଡ଼ି ଦେଇ ଯାଉଛନ୍ତି। ଏହାପରେ କିଛି କୁକୁର ଏହାକୁ ଉଦ୍ଧାର କରୁଛନ୍ତି। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ଆଜି ଭୋର ୪ଟା ବେଳେ ଏହି ଘଟଣା ଘଟିଥିଲା।

ସେ କହିଛନ୍ତି ବର୍ତ୍ତମାନ ସିଭିଲ ହସ୍ପିଟାଲରେ ଏହି ସଦ୍ୟଜାତ ଶିଶୁର ଚିକିତ୍ସା ଚାଲୁ ରହିଛି। ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ, ବର୍ତ୍ତମାନ ଶିଶୁଟିର ଓଜନ ୧,୧୦୦ ଗ୍ରାମ୍‌ ରହିଛି ଏବଂ ତା’ର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ରହିଛି।

ଅନ୍ୟପକ୍ଷରେ ପୁଲିସ୍‌ ଶିଶୁକୁ ଫୋପାଡ଼ିଥିବା ଅଜଣା ମହିଳାଙ୍କ ନାମରେ ମାମଲା ରୁଜୁ କରିଛି। ବର୍ତ୍ତମାନ ତାଙ୍କୁ ଚିହ୍ନଟ ପାଇଁ ପ୍ରୟାସ କରାଯାଉଛି ଏବଂ ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ ଅନୁଯାୟୀ ବିଭିନ୍ନ ମାମଲା ରୁଜୁ କରାଯାଇଛି।