ରାସ୍ତା ମଝିରେ ପୁଲିସ୍‌ ଓ ଅଟୋ ଡ୍ରାଭରଙ୍କ ମଧ୍ୟରେ ଲଢ଼େଇ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାସ୍ତାରେ ପୁଲିସ୍‌ କର୍ମୀ ଓ ଜଣେ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ଘମାଘୋଟ ମାରପିଟ୍‌ ଦେଖିବାକୁ ମିଳିଛି। କିଛି ପୁଲିସ୍‌ କର୍ମଚାରୀ ଅଟୋ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ତଳେ ପକାଇ ମାଡ଼ ମାରିବା ପରେ ସେ ଖଣ୍ଡା ଦେଖାଇ ପୁଲିସ୍‌କୁ ମଧ୍ୟ ଭୟଭୀତ କରାଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର ମୁଖାର୍ଜୀ ନଗର ରାସ୍ତାରେ ଏହି ଘଟଣା ଘଟିଛି। ପୁଲିସ୍‌ ଭ୍ୟାନ୍‌ ସହ ଅଟୋର ଧକ୍କା ହେବାରୁ ଏପରି ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା।

ଅଟୋଟି ଜଣେ ପୁଲିସ୍ କର୍ମଚାରୀଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା। ଏହାକୁ ନେଇ ପୁଲିସ୍ କର୍ମଚାରୀମାନେ ଅଟୋ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ। ଅଟୋ ଡ୍ରାଇଭର ଜଣଙ୍କ ଶିଖ୍ ସଂପ୍ରଦାୟର ହୋଇଥିବାରୁ ତାଙ୍କ ପାଖରେ ଏକ ଛୋଟ ଖଣ୍ଡା ରହିଥିଲା। ଏହି ଖଣ୍ଡା ଦ୍ୱାରା ସେ ପୁଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ ତଳେ ପକାଇ ଗୋଇଠା ବିଧା ମାରିଥିଲେ। ଏପରି କି ସେମାନେ ଲାଠିରେ ମଧ୍ୟ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ।

ଡ୍ରାଇଭର ଜଣଙ୍କ ପୁଅ ମଧ୍ୟ ଅଟୋରେ ଥିଲେ। ପୁଲିସ୍‌ ତାଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସବ୍‌ ଇନ୍‌ସପେକ୍ଟର ସଞ୍ଜୟ ମଲିକ ଓ ଦେବେନ୍ଦ୍ର ଏବଂ କନଷ୍ଟେବଲ ପୁଷ୍ପେନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି। ପୁଲିସ୍‌ର ଏପରି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।