ପାଠପଢିବାକୁ ଡାକୁଥିଲେ, ହେଲେ…

କୋଲକାତା: କଳଙ୍କିତ ହୋଇଛି ଗୁରୁ ଓ ଶିଷ୍ୟଙ୍କ ପବିତ୍ର ସମ୍ପର୍କ। ଗୁରୁପଦରେ ଲାଗିଛି କଳଙ୍କର ଛିଟା। ସ୍କୁଲରେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ। ଏପରି ସମ୍ୱେଦନଶୀଳ ଘଟଣାଟି ଘଟିଛି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ। ରାଜ୍ୟର ହାୱଡା ଜିଲ୍ଲା ଜଗତବଲ୍ଲଭପୁର ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୋଗ ପରେ ଗୁରୁବାର ଗିରଫ ହୋଇଛନ୍ତି ପ୍ରଧାନଶିକ୍ଷକ।

୪ର୍ଥ ଶ୍ରେଣୀ ପିଲାଙ୍କର ସ୍ୱତନ୍ତ୍ର କ୍ଲାସ୍‌ ହେବ ବୋଲି ପ୍ରଧାନଶିକ୍ଷକ କହିଥିଲେ। ସାର୍‌ଙ୍କଠାରୁ କଥା ଶୁଣି ପିଲାମାନେ ଭାରି ଖୁସି ହୋଇ ଯାଇଥିଲେ। ମନେମନେ ପିଲାମାନେ ଭାବିଥିଲେ ସାର୍‌ ଆମକୁ ଅବୁଝା ପାଠ ବୁଝାଇ ଦେବେ। ହେଲେ ପିଲାଙ୍କ ମନରେ ଥିବା ସବୁ ପ୍ରଶ୍ନ ଓଲଟପାଲଟ ହୋଇଗଲା। ଗତ ୧୩ ତାରିଖରେ ସାର୍‌ ଜ୍ଞାନର ପାଠ ପଢ଼ାଇବା ବଦଳରେ ଛାତ୍ରୀଙ୍କୁ ଅଫିସ୍‌କୁ ଡାକି ଅସଦାଚରଣ କରିଥିଲେ।

ଛାତ୍ରୀମାନେ ଏନେଇ ନିଜ ଅଭିଭାବକଙ୍କୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଭାବକମାନେ, ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ ଦାବିରେ ଗୁରୁବାର ସ୍କୁଲ ଘେରାଉ କରିଥିଲେ। ଖବର ପାଇ ଜଗତବଲ୍ଲଭପୁର ଥାନା ପୋଲିସ ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲା। ମାତ୍ର ଅଭିଭାବକ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରିଥିଲା।