ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ ନେଇ ପ୍ରଶ୍ନ ଉଠାଇଲେ କରନ ଜୋହର

ନୂଆଦିଲ୍ଲୀ: ‘ଜୟପୁର ଲିଟରେଚର ଫେଷ୍ଟିଭାଲ’ରେ ଯୋଗଦେଇ ଫିଲ୍ମ ନିର୍ମାତା କରଣ ଜୋହର ଦେଶର ଲୋକତନ୍ତ୍ର ଉପରେ ପ୍ରଶ୍ନ ଉଠାଇବା ସହ ଅସହିଷ୍ଣୁତା ବିବାଦକୁ ପୁଣି ତାଜା କରିଦେଇଛନ୍ତି। ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହା ସବୁଠାରୁ ବଡ଼ ମଜ୍ଜାକ ବୋଲି ସେ କହିଛନ୍ତି। ବିନା ଡରରେ ନିଜ ମତବ୍ୟକ୍ତ କରିବା ଏଠାରେ ବହୁତ କଷ୍ଟ ବୋଲି ସେ କହିଛନ୍ତି।

ଯଦି ନିଜ ଜୀବନ ସମ୍ପର୍କରେ ବି କିଛି କହିବ ସେଥିପାଇଁ ମଧ୍ୟ ତୁମକୁ ଜେଲ ଯିବାକୁ ପଡିପାରେ। ଏପରି ସ୍ଥିତିରେ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏଠାରେ ଖୋଲି କରି ନିଜ ମତ ଉପସ୍ଥାପନ କରିପାରିବେ ନାହିଁ। ସେ ଏହା ଅମୀର ଖାନଙ୍କ ଆଡକୁ ଇସାର କରି କହିଥିବା ଆଲୋଚନା ହେଉଛି।

କରନ କହିଛନ୍ତି, ‘ମୁଁ ଜଣେ ଫିଲ୍ମ ମେକର। ଯେତେବେଳେ ଫିଲ୍ମ କରୁଛି ସବୁବେଳେ ଡର ରହୁଛି କି କେହି ମୋ ବିରୋଧରେ କୌଣସି କଥାକୁ ନେଇ ନୋଟିସ ପଠାଇ ନ ଦେଉ। ଜୟପୁରରୁ ଯିବା ପରେ ମୋ ବିରୋଧରେ ଏକାଧିକ ନୋଟିସ ଆସିପାରେ। ଏଥିପାଇଁ ସେ ନିଜକୁ ‘ଏଫଆଇଆର କିଙ୍ଗ’ ବୋଲି କହିଛନ୍ତି।