ସୁସାଇଡ୍ ଲାଇଭ୍‌ ରୋକିବ ଫେସ୍‌ବୁକ୍, ୩୦୦୦ କର୍ମଚାରୀଙ୍କୁ ଦେବ ନିଯୁକ୍ତି

ନୂଆଦିଲ୍ଲୀ: ଆତ୍ମହତ୍ୟା ମଧ୍ୟ ଏକ ଅପରାଧ। ତେବେ ଏଭଳି ଅପରାଧ କରୁଥିବା ବେଳେ ଅନେକ ଫେସ୍‌ବୁକ୍‌ରେ ଲାଇଭ୍ କରୁଥିଲେ। ଏହାକୁ ଅନ୍ୟ ୟୁଜର୍ସ ଦେଖୁଥିଲେ।  କେବଳ ଆତ୍ମହତ୍ୟା ନୁହେଁ ଅନ୍ୟର କ୍ଷତି କଲା ଭଳି ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଆଉ ଏ ସବୁ ହେବନି। ଆତ୍ମହତ୍ୟା ଭଳି ଜଘନ୍ୟ କଣ୍ଟେଣ୍ଟରୁ ନିଜ ୟୁଜର୍ସକୁ ବଞ୍ଚାଇବା ପାଇଁ ଫେସ୍‌ବୁକ୍ ୩୦୦୦  କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛି। ଫେସବୁକ୍‌ର ଏହି କର୍ମଚାରୀମାନେ ‘ଲ ଏନ୍‌ଫୋର୍ସମେଣ୍ଟ ସଂସ୍ଥା’ ସହ ମିଶି କାମ  କରିବେ।

କମ୍ପାନୀର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି,‘ଗତ କିଛି ସପ୍ତାହ ହେବ ଫେସ୍‌ବୁକ୍‌ରେ ଲାଇଭ୍‌ କିମ୍ୱା ଭିଡିଓ ପୋଷ୍ଟ୍ ଜରିଆରେ ଏପରି କିଛି ମାମଲା ଦେଖିବାକୁ ମିଳିଥିଲା ଯେଉଁଥିରେ ଲୋକେ ନିଜକୁ କିମ୍ୱା ଅନ୍ୟ ଜଣଙ୍କୁ କ୍ଷତି ପହଞ୍ଚାଉଥିଲେ। ଏହି ଦୃଶ୍ୟ ଦେଖିବା ବେଶ୍ କଷ୍ଟକର ଥିଲା।’

ସୂଚନାଯୋଗ୍ୟ, ଗତବର୍ଷ ଫେସବୁକ୍‌ ଲାଇଭ୍‌ ଭିଡିଓ ମାଧ୍ୟମରେ ହତ୍ୟା ଓ ଆତ୍ମହତ୍ୟା ମାମଲା ଆସିଥିଲା। ଗତ ଏପ୍ରିଲ୍‌ ମାସରେ ଜଣେ ଛାତ୍ର ଏକ ହୋଟେଲର ଛାତ ଉପରରୁ ଡେଇଁବାର କିଛି ମିନିଟ୍‌ ପୂର୍ବରୁ ଫେସବୁକ୍‌ରେ ଲାଇଭ୍‌ କରିଥିଲେ। ୟୁଏସ୍‌ ଓ ଥାଇଲାଣ୍ଡରେ ଏପରି କିଛି ମାମଲା ଦେଖିବାକୁ ମିଳିଥିଲା।  ତେଣୁ ଫେସ୍‌ବୁକ୍‌ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଏହାକୁ ରୋକିବା ପାଇଁ  କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା କରୁଛି।