ହତ୍ୟା ଉତ୍ସବ ମନାଇଥିଲେ ନକ୍ସଲ : ୨୫ ଯବାନଙ୍କୁ ମାରିବା ପରେ ୩ଦିନ ଧରି ଚାଲିଥିଲା ଭୋଜିଭାତ: ସୁକ୍‌ମା ଆକ୍ରମଣର ବଡ଼ ଖୁଲାସା

ଗାଡଚିରୋଲି(ମହାରାଷ୍ଟ୍ର): ଗତ ମାସ ୨୪ ତାରିଖରେ ଛତିଶଗଡ଼ର ସୁକ୍‌ମାର ଚିନ୍ତାଗୁମ୍ଫା ବୁର୍କାପାଲ ଜଙ୍ଗଲରେ  ନକ୍ସଲଙ୍କ ଅତର୍କିତ ଆକ୍ରମଣରେ ୨୫ଜଣ ସିଆରପିଏଫ ଯବାନ ସହିଦ୍‌ ହୋଇଥିଲେ।  ନକ୍ସଲଙ୍କ ଏହି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାର ମାସେ ପରେ ଏ ସମ୍ପର୍କିତ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତାହା ହେଲା  ଯବାନଙ୍କୁ ହତ୍ୟା କରିବା ପରେ ନକ୍ସଲମାନେ ୩ ଦିନ ଧରି ଖୁସି ମନାଇଥିଲେ।

ଭୋଜିଭାତ ସହ ନାଚଗୀତରେ ସାମିଲ ହୋଇ ମଉଜ କରିଥିଲେ।  ଆତ୍ମସମର୍ପଣ କରିଥିବା ମାଓବାଦୀ ତଥା  ସୁକ୍‌ମା ଚିନ୍ତାଗୁମ୍ଫାର ପୂର୍ବତନ ସରପଞ୍ଚ ପୋଡ଼ିଅମ ପଣ୍ଡା ଏମିତି କିଛି ବୟାନ ଦେଇଛନ୍ତି।  ଆକ୍ରମଣର ସପ୍ତାହ ପରେ ଆତ୍ମସମର୍ପଣ କରି ମାଓନେତା ପୋଡ଼ିଅମ ସୁକ୍‌ମା ଏସ୍‌ପି ଅଭିଷେକ ମୀନାଙ୍କ ନିକଟରେ ସମସ୍ତ ବୟାନ ରଖିଥିଲେ।  ହେଲେ ସୁକ୍‌ମା ପୋଲିସ ସେତେବେଳେ ଗଣମାଧ୍ୟମକୁ କିଛି କହିବାକୁ ମନା କରିଦେଇଥିଲା।

କିନ୍ତୁ ପରେ ପୋଲିସକୁ ପୋଡ଼ିଅମ ଦେଇଥିବା ବୟାନର ଭିଡିଓ କ୍ଲିପ୍‌ ମହାରାଷ୍ଟ୍ର ଟାଇମ୍‌ସର ହସ୍ତଗତ ହୋଇଥିଲା। ଯାହା ଏବେ ସାମ୍ନାକୁ ଆସିଛି।  ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆଜି ଟାଇମସ୍‌ ଅଫ ଇଣ୍ଡିଆରେ ବିସ୍ତୃତ ଭାବେ ପ୍ରକାଶ ପାଇଛି।  ପୋଡ଼ିଅମ ପଣ୍ଡାଙ୍କ ବୟାନ ଅନୁଯାୟୀ, ଆକ୍ରମଣ ପୂର୍ବରୁ ଯେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ସେଥିରେ ସେ ନିଜେ ସାମିଲ ଥିଲେ।  ବୁର୍କାପାଲ ଆକ୍ରମଣର ମାସେ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା।  କୁଖ୍ୟାତ ମାଓ ନେତା ହିଡ଼ମା ଏହାର ମାଷ୍ଟର ମାଇଣ୍ଡ ଥିଲେ।  ଆକ୍ରମଣ ପାଇଁ ଏକ ଟିମ୍‌ ଗଠନ ହୋଇଥିଲା। ଦଳରେ ଅନ୍ୟ ମାଓନେତାମାନେ ସାମିଲ ହୋଇଥିଲେ। ପରେ ଏମାନଙ୍କୁ  ଅଲଗା ଅଲଗା କରି ପଠାଯାଇଥିଲା।

ବିଭିନ୍ନ ପଟୁ ରହି ଏମାନେ  ଯବାନଙ୍କ ଗତିବିଧି ଉପରେ ନଜର ରଖିଥିଲେ।  ଏଥିସହ ମାଓନେତାମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। ୨୩ ତାରିଖ ଦିନ ସମସ୍ତ ପ୍ରସ୍ତୁତି ସରିଥିଲା। ଆଉ ୨୪ ତାରିଖରେ ଅସ୍ତ୍ରଶସ୍ତ୍ର ସହ ୪୦୦ ମାଓବାଦୀ ଯବାନଙ୍କୁ ଘେରାବନ୍ଦୀ କରି ଆକ୍ରମଣ କରିଥିଲେ।  ଏହି ଆକ୍ରମଣରେ ଗ୍ରାମବାସୀମାନେ ସାମିଲ ହୋଇଥିଲେ।  ଏଥିରେ ପଣ୍ଡା ନିଜେ ସାମିଲ ଥିବା ସ୍ୱୀକାର କରିଛି। ଆକ୍ରମଣରେ ୨୫ ଜଣ ଯବାନଙ୍କ ମୃତ୍ୟ ପରେ ମାଓବାଦୀମାନ ବିଜୟ ଉତ୍ସବ ମନାଇଥିଲେ। ଏମାନେ କେଦୱା ଏବଂ ତୁଣ୍ଡମାର୍କା ଜଙ୍ଗଲ ମଝିରେ ରହି ବାଜା ବଜାଇବା ସହ ନାଚଗୀତ କରି ଖୁସିମନାଇଥିଲେ। କାର୍ଯ୍ୟକ୍ରମରେ ମାଓନେତା ହିଡ଼ମା, ଅର୍ଜୁନ ଏବଂ ନାଗେଶ ବିଜୟ ଭାଷଣ ଦେଇଥିଲେ ବୋଲି ପୋଡ଼ିଅମ କହିଛନ୍ତି।