ନୱାଜୁଦ୍ଦିନଙ୍କ ଉପରେ ବର୍ଷିଲେ ପ୍ରଥମ ଗାର୍ଲଫ୍ରେଣ୍ଡ; ପଢ଼ନ୍ତୁ କ’ଣ କହିଛନ୍ତି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକି ଆଜିକାଲି ନିଜ ଜୀବନୀ ‘ଆନ୍ ଅଡିନାରୀ ଲାଇଫ୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଖୋଲାଖୋଲା ଭାବେ ପ୍ରକାଶ କରିଛନ୍ତି ଯେ ତାଙ୍କର ଅନେକ ମହିଳାଙ୍କ ସହିତ ସଂପର୍କ ଥିଲା। କେବଳ ସେକ୍ସ ପାଇଁ ସେ ମହିଳାଙ୍କ ସହ ସଂପର୍କ ଯୋଡ଼ି ଥିଲେ। ତାଙ୍କର ଏହି କଥାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରଥମେ ତାଙ୍କ ଉପରେ ବର୍ଷିଥିଲେ ଅଭିନେତ୍ରୀ ନିହାରିକା ସିଂହ। କାରଣ ନୱାଜୁଦ୍ଦୀନ ତାଙ୍କ ଜୀବନୀରେ ନିହାରିକାଙ୍କ ସହିତ ତାଙ୍କର ଶାରୀରିକ ସଂପର୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏନେଇ ନିହାରିକା କହିଥିଲେ ଯେ ନିଜ ବହିକୁ ବିକିବା ପାଇଁ ନୱାଜୁଦ୍ଦୀନ ଏସବୁ କଥା ଲେଖିଛନ୍ତି। ଏବେ ନୱାଜୁଦ୍ଦୀନଙ୍କ ଟାର୍ଗେଟ କରିଛନ୍ତି ଥିଏଟର ଆର୍ଟିଷ୍ଟ୍ ତଥା ଅଭିନେତ୍ରୀ ସୁନୀତା ରାଜୱାର। ସେ ତାଙ୍କ ଫେସ୍‌ବୁକ୍‌ରେ ଏକ ଲମ୍ବାଚଉଡ଼ା ଲେଖା ପୋଷ୍ଟ୍ କରି କହିଛନ୍ତି ଯେ ନୱାଜୁଦ୍ଦୀନ ମହିଳାମାନଙ୍କୁ ସମ୍ମାନ କରିବା ଜାଣି ନାହାନ୍ତି।

ସୂଚନାଯୋଗ୍ୟ, ନୱାଜୁଦ୍ଦୀନ ତାଙ୍କ ବାୟୋଗ୍ରାଫିରେ ଉଲ୍ଲେଖ କରିଛନ୍ତି ଯେ ସୁନୀତା ହେଉଛନ୍ତି ତାଙ୍କର ପ୍ରଥମ ଗାର୍ଲଫ୍ରେଣ୍ଡ। ସୁନୀତା କାହିଁକି ତାଙ୍କୁ ଛାଡ଼ି ଚାଲି ଗଲେ ତାହା ବି ବହିରେ ଦର୍ଶାଯାଇଛି। ଏଥିରେ ଲେଖାଯାଇଛି ଯେ ନୱାଜୁଦ୍ଦୀନ ଗରିବ ଥିବାରୁ ଓ ବଲିଉଡ୍‌ରେ ସଂଘର୍ଷ କରୁଥିବାରୁ ସୁନୀତା ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ତେବେ ସୁନୀତା କିଛି ଅଲଗା କହିଛନ୍ତି। ସେ କହିଛନ୍ତି,“ନୱାଜୁଦ୍ଦୀନଙ୍କ ଠାରୁ ସେ ଅଧିକ ଗରିବ ଥିଲେ। ତାଙ୍କର ତ ନିଜର ଘର ଥିଲା। ମୋର ସେତିକି ବି ନଥିଲା। ସାଙ୍ଗମାନଙ୍କ ସହିତ ରହି ସଂଘର୍ଷ କରୁଥିଲି।”

ନୱାଜୁଦ୍ଦୀନଙ୍କ ସହ ତାଙ୍କର ବ୍ରେକ୍‌ ଅପ୍‌ର କାରଣ ସଂପର୍କରେ ସୁନୀତା କହିଛନ୍ତି,“ସେ ସଂପର୍କର ଅର୍ଥ ବୁଝି ନଥିଲେ। ଆମର ବ୍ୟକ୍ତିଗତ କଥାକୁ ସାଙ୍ଗମାନଙ୍କୁ କହି ଦେଉଥିଲେ। ମୁଁ ଏହା ଜାଣିପାରିଲି। ଜଣେ ମହିଳା ଓ ପ୍ରେମ ପ୍ରତି ତାଙ୍କର ମନୋଭାବ ସଂପର୍କରେ ମୁଁ ପୂରା ବୁଝିଗଲି। ସେ ଗରିବ ହୋଇଥିବାରୁ ମୁଁ ତାଙ୍କୁ ଛାଡ଼ି ନଥିଲି। ତାଙ୍କର ଗରିବ ଚିନ୍ତାଧାରା ଯୋଗୁଁ ମୁଁ ତାଙ୍କୁ ଛାଡ଼ିଛି। ଆଜି ସେ ଆହୁରି ଗରିବ ହୋଇଯାଇଛନ୍ତି। ସେ ମହିଳାଙ୍କୁ ସମ୍ମାନ ଦେବା ଶିଖି ନଥିଲେ କି ଆଜି ବି ଶିଖି ନାହାଁନ୍ତି। ତାଙ୍କ ପ୍ରତି ମୋର ଘୃଣାଭାବ ରହିଛି।”

ସୂଚନାଯୋଗ୍ୟ, ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍‌ଏସ୍‌ଡି)ରେ ନୱାଜ ଥିଲେ ସୁନୀତାଙ୍କ ସିନିୟର। ସୁନୀତା ‘ମେଁ ମାଧୁରୀ ଦୀକ୍ଷିତ ବନ୍‌ନା ଚାହ୍‌ତି ହୁଁ’, ‘ଏକ୍ ଚାଲିସ କି ଲାଷ୍ଟ ଲୋକଲ’, ‘ସଂକଟ ସିଟି’ ଭଳି ଫିଲ୍ମରେ କାମ କରିଛନ୍ତି। ଏହା ସହିତ ‘ୟେ ରିସ୍ତା କ୍ୟା କହଲାତା ହେ’, ‘ଶଗୁନ’, ‘ରାମାୟଣ’, ‘ହିଟଲର ଦିନି’ ଓ ‘ସନ୍ତୋଷୀ ମାତା’ ଭଳି ଟିଭି ସିରିଏଲ୍‌ରେ କାମ କରିଛନ୍ତି।