ପୈତୃକ ସମ୍ପତ୍ତିରେ ରହିଛି ଝିଅର ଅଧିକାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):୨୦୦୫ ମସିହା ପୂର୍ବରୁ ଜନ୍ମ ହୋଇଥିବା ଝିଅର ମଧ୍ୟ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ସମାନ ଅଧିକାର ରହିବ। ଗତକାଲି ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଦେଇଥିଲେ। ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହାଦ୍ୱାରା ଯେଉଁ ମହିଳାମାନେ ଶାଶୁଘରେ ନିର୍ଯାତିତ ହୋଇ ବାପ ଘରକୁ ଫେରି ଆସୁଛନ୍ତି ସେମାନଙ୍କୁ ମଧ୍ୟ ଆର୍ଥିକ  ସୁରକ୍ଷା ମିଳିବ ବୋଲି ରାସ୍ତା ଫିଟିଛି।

ହିନ୍ଦୁ ଉତ୍ତରାଧିକାରୀ ସଂଶୋଧିତ ଆଇନ-୨୦୦୫ ଅନୁଯାୟୀ ପୁଅଙ୍କ ଭଳି ଝିଅର ମଧ୍ୟ ପୈତୃକ ସମ୍ପତ୍ତି ଉପରେ ରହିବ ସମାନ ଭାଗ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.କେ. ସିକ୍ରି ଓ  ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଶୁକ୍ରବାର ସାନି ରାୟ ଶୁଣାଇବାବେଳେ ଏହା କହିଛନ୍ତି।  ପୈତୃକ ସମ୍ପତ୍ତି ଉପରେ ଝିଅର ଜନ୍ମଗତ ଅଧିକାର ଅଛି ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୫ରେ ସୁପ୍ରିମକୋର୍ଟ କହିଥିଲେ, ୨୦୦୫ର ସଂଶୋଧିତ ହିନ୍ଦୁ ଆଇନ୍ ଅନୁଯାୟୀ, ଯଦି ଜଣେ  ବ୍ୟକ୍ତି ସଂଶୋଧିତ ଆଇନ ଲାଗୁ ପୂର୍ବରୁ ପ୍ରାଣ ହରାଇଥାନ୍ତି ସେ କ୍ଷେତ୍ରରେ ଝିଅକୁ ସଂପତ୍ତି ଅଧିକାର ମିଳିବ ନାହିଁ । ସେପ୍ଟେମ୍ବର ୯, ୨୦୦୫ ସୁଦ୍ଧା ଯଦି ପିତା ଜୀବିତ ଥାଆନ୍ତି ସେ କ୍ଷେତ୍ରରେ ପୁଅ ଭଳି ଝିଅ ବି ସମ୍ପତ୍ତିର  ଅଂଶୀଦାର ହେବେ । ତେବେ ୨୦୦୭ରେ ଏଭଳି ଏକ ମାମଲା ଟ୍ରାଏଲ୍ କୋର୍ଟରେ ଖାରଜ ହେବାପରେ ଏହାକୁ  ଚ୍ୟାଲେଞ୍ଜ୍ କରି ଦୁଇ ଭଉଣୀ ସୁପ୍ରିମକୋର୍ଟକୁ ଯାଇଥିଲେ ।