ପାର୍କିଂରୁ ଗାଡ଼ି ଚୋରି ହେଲେ କିଏ ଦାୟୀ?

ନୂଆଦିଲ୍ଲୀ: ‘ପାର୍କିଂରେ ନିଜ ଦାୟିତ୍ୱରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ହୋଟେଲ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ। ଏ ନେଇ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପାର୍କିଂରେ ଗ୍ରାହକ ଗାଡ଼ି ରଖିବାର ଅର୍ଥ ଗାଡ଼ିର ସମସ୍ତ ଦାୟିତ୍ୱ ହୋଟେଲ କତ୍ତୃପକ୍ଷଙ୍କର। ଗାଡ଼ି ଚୋରି ହେଉ, ଅବା କ୍ଷତି ସମସ୍ତ ଅର୍ଥରାଶି ହୋଟେଲ କତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏମିତିକି ପାର୍କିଂ ମାଗଣାରେ ବୋଲି କହି ହୋଟେଲ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୧୯୯୮ ମସିହାରେ ଦିଲ୍ଲୀ ସ୍ଥିତ ତାଜ ହୋଟେଲରୁ ଏକ ମାରୁତି କାର ଚୋରି ହୋଇଯାଇଥିଲା। ଏଥିପାଇଁ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ହୋଟେଲ କତ୍ତୃପକ୍ଷଙ୍କୁ ୨.୮ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲା। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହୋଟେଲ କତ୍ତୃପକ୍ଷ। ଏହାପରେ ସୁପ୍ରିମକୋର୍ଟ ଦୀର୍ଘ ୨୦ ବର୍ଷର ମାମଲାର ରାୟ ଶୁଣାଇ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଛନ୍ତି।